STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

1 min
14


ବଡ଼ଦାଣ୍ଡେ ତୋର ମୁଁ ଚାଲି ଚାଲି

ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

    ତୋ ଆଶିଷ ବୋଲି

କାଳିଆରେ ଚାହିଁ ଦେ ଥରେ ଖାଲି

ଭାବି ନେବି ସବୁ ମୁଁ ପାଇଗଲି ।

ମହୋଦଧି କୂଳେ ବଡ଼ ଦେଉଳେ

ରହିଛୁ ଭାଇ ଭଉଣୀଙ୍କ ମେଳେ

     ଗହଳେ ଚହଳେ

ଭକତ ଡାକନ୍ତି ତୋତେ ବିକଳେ

ଦେରେ ସୁଖ ଟିକେ ଲେଖି କପାଳେ।

ଶ୍ରୀମନ୍ଦିରରୁ ଆସୁ ଝୁଲି ଝୁଲି

ନନ୍ଦିଘୋଷେ ବସି ଯାଉ ତୁ ବୁଲି

     ଚକାଆଖି ମେଲି

ଦେଖୁରେ ସବୁ ଅସଲି ନକଲି

ତୋ ରଥ ଯାତରା ହୁଏନା ଭୁଲି ।

ବଡ଼ଦାଣ୍ଡେ ତୋର ମୁଁ ଚାଲି ଚାଲି

ପାପ ପୁଣ୍ୟର ତୁ କରି ବିଚାର

ଫଳ ଦେଉରେ ବାଛି ନିରନ୍ତର

   ତୋ ଗଢ଼ା ସଂସାର

ରଖୁ ତୁରେ କରି ଦୁଷ୍ଟ ସଂହାର

ପକ୍ଷପାତିତା ନାହିଁ କିଛି ତୋର ।

ମୁଁ ଅବା ଅଜ୍ଞାନେ କି ଦୋଷ କଲି

ସେଥିପାଇଁ ଏତେ ଦଣ୍ଡ ଭୋଗିଲି

   ମାଗେ ମୁହଁ ଖୋଲି

ଟିକିଏ କରୁଣା ପାଇବି ବୋଲି

ସବୁ ପାପ ମୋର ଯିବରେ ଚାଲି ।

ବଡ଼ଦାଣ୍ଡେ ତୋର ମୁଁ ଚାଲି ଚାଲି

କରୁଛି ଗୁହାରି ତୋତେ ଏତିକି

ଜୀବନ ଯାଉ ତୋତେ ଡ଼ାକି ଡ଼ାକି

   ତୋ ପାଶେ ଅଟକି

ଫୁଲ ପରି ଉଠୁ ଥିବି ମହକି

ଜଗତ ସେବାରେ ରହି ଏକାକୀ।

ମିଛ ମାୟା ସବୁ ତୁ ହିଁ ଅସଲି 

ଦେରେ ତୋ କରୁଣା ଜଗତେ ଢାଳି

    ଦୁଃଖ ଯାଉ ଚାଲି

ସବୁରି ଓଠରେ ହସର ମଲ୍ଲୀ

ଫୁଟୁ ଥାଉ ସଦା ପାଖୁଡ଼ା ମେଲି ।

ବଡ଼ଦାଣ୍ଡେ ତୋର ମୁଁ ଚାଲି ଚାଲି

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract