ଦେଖରେ ପିଲେ ଦେଖ
ଦେଖରେ ପିଲେ ଦେଖ
ଟୁପୁରୁ ଟାପୁର ବରଷେ ପାଣି
ବାଜେ ବାଇଦ ବାଜା
ବାହା ହୋଇବ ବେଙ୍ଗୁଲୀ ରାଣୀ
ଆସିବେ ବେଙ୍ଗ ରଜା ।
ବାଜେ ତେଲିଙ୍ଗି ଯୋଡି ମହୁରୀ
ଝିଣ୍ଟିକା କରେ ନାଚ
ବସିଛି ଛକି ବଗୁଲୀ କାଣ୍ଟି
ଧରିବ ବୋଲି ମାଛ ।
ଘୁମୁରୁଛନ୍ତି ପାରା ଯୋଡିକ
ଭାଟିରେ ଗୁଞ୍ଜି ଗାଞ୍ଜି
କେମିତି ଯିବେ ଆହାର ଖୋଜି
ଡେଣା ତ ଯାଏ ଭିଜି ।
ମୁଣ୍ଡରେ ରଖି ପଖିଆ ଝାମ୍ପି
ବିଲକୁ ଯାଏ ଚାଷୀ
ବେଉଷିବ ସେ ଘାସ ବାଳୁଙ୍ଗା
ଧାନକୁ ବାଛି ବସି ।
ପିନ୍ଧିଛି କିଏ ତାର ବର୍ଷାତି
ଖୋଲିଛି କିଏ ଛତା
ବସି ନରହି କରିଲେ କାମ
ମିଳେ ପଇସା ଟଙ୍କା ।
ଝରକା ଖୋଲି ଦେଖରେ ପିଲେ
ଲାଗିବ ବଡ ମଜା
ଅନ୍ଧାର କୋଣେ ଶୁଅଇ ପେଚା
ଅଣ୍ଟା ତା ବଙ୍କା କୁଜା ।
