STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ଗଣେଶ ପୂଜା

ଗଣେଶ ପୂଜା

1 min
173

        

ଜ୍ଞାନଦାତା ପ୍ରଭୁ ଶ୍ରୀଗଣେଶ

         ଜ୍ଞାନଜ୍ୟୋତି କରନ୍ତି ପ୍ରକାଶ,

ପ୍ରତିଭାର ହୁଅଇ ବିକାଶ

         ପ୍ରଦାନ କଲେ ସେ ଶୁଭାଶିଷ।

ପାର୍ବତୀ ନନ୍ଦନ ଗଣପତି

         ଜ୍ଞାନର ବାରିଧି ଦିବ୍ୟଜ୍ୟୋତି,

ପିତା ଶଙ୍କର କୈଳାସପତି

         ଜଗତ କଲ୍ୟାଣେ ତାଙ୍କ ମତି।

ବ୍ରହ୍ମାଣ୍ଡେ ବିନାୟକ ବିଘ୍ନେଶ

         ଅଗ୍ରପୂଜ୍ୟ ଦେବ ଶ୍ରୀଗଣେଶ,

ବାଧା ବିଘ୍ନ କରନ୍ତି ସେ ନାଶ

           ଗଜାନନ ସୁନ୍ଦର ସୁବେଶ।

ମୂଷିକ ବାହନେ ପରିକ୍ରମା

        କରନ୍ତି ବେଗେ ଅସୀମ ସୀମା,

ଅକଳନ ଅପାର ମହିମା

         ଅଗାଧ ତାଙ୍କ ଜ୍ଞାନ ଗାରିମା।

ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ

         ଗଣେଶ ପୂଜାର ପୁଣ୍ୟ ତିଥି,

ଜ୍ଞାନର ରଥେ ସିଏ ସାରଥୀ 

         ପୂଜନ୍ତି ତାଙ୍କୁ ସବୁ ବିଦ୍ୟାର୍ଥୀ,

ଭାବ ଭକ୍ତିରେ ତାଙ୍କର ପୂଜା

           କରନ୍ତି ପ୍ରଜାରୁ ମହାରାଜା,

ଉଡ଼େ ଜ୍ଞାନର ବିଜୟ ଧ୍ବଜା

          ତ୍ରିପୁରେ ବାଜଇ ସେ ବାଜା।

ମହା ମୁରୁଖ ହୁଏ ପଣ୍ଡିତ

       ତାଙ୍କ ଶ୍ରୀପାଦେ ହୋଇ ଆଶ୍ରିତ,

ଜ୍ଞାନର ବଳେ ରହି ଜାଗ୍ରତ

         ମଧୁମୟ କରେ ସେ ଜଗତ।

ପ୍ରଭୁ ବିଦ୍ୟାଦାତାଙ୍କୁ ପ୍ରାର୍ଥନା

          ପୂର୍ଣ୍ଣ କର ହେ ମନସ୍କାମନା,

ମୁଢ଼ର ଦୋଷ କରି ମାର୍ଜନା

         ଘୁଞ୍ଚାଅ ସଂସାରରୁ ଯାତନା।

ପାଇବାକୁ ସୁଖ ଶାନ୍ତି ତୃପ୍ତି

         ତବ ଶ୍ରୀପାଦେ କରି ଭକତି,

ଦେବଗଣ ଯେ କରନ୍ତି ସ୍ତୁତି

          ବିଘ୍ନନାଶକ ହେ ଗଣପତି।

ସଂସାର ସାଗର ଭୟଙ୍କର

           ଜୀବନ ପଥ ଘନ ଅନ୍ଧାର,

ଚାଲିବାର ବାଟ ବହୁ ଦୂର

         ବାଟୋଇ ହୁଏ କ୍ଳାନ୍ତ ଅସ୍ଥିର।

ସୂର୍ଯ୍ୟର ଆଲୋକ ସମ ଜ୍ଞାନ

            ଦୂରାଏ ହୃଦୟରୁ ମଳିନ,

ମନକୁ ରଖିଥାଏ ଅମ୍ଳାନ

         ମାନବଙ୍କୁ କରେ ସଚେତନ।

ନେତ୍ରେ ସୁପଥ କରି ଦର୍ଶନ

          ପଥିକ ପଥେ କରେ ଗମନ,

କଷ୍ଟ ଯନ୍ତ୍ରଣା ଭୋଗେ ଅଜ୍ଞାନ

          ସଂକଟାପନ୍ନ ହୁଏ ଜୀବନ।

ହେ ପ୍ରଭୁ ଶ୍ରୀଗଣେଶ ବିଘ୍ନେଶ 

      ଘୁଞ୍ଚାଇ ଦିଅ ଅଛି ଯେତେ କ୍ଳେଶ,

ସବୁରି ଅଧରେ ଦିଅ ହସ 

         ବିନୟେ ମାଗୁ ତୁମ ଆଶିଷ।   


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract