ଆଜି ବିଶ୍ବ ଯୋଗ ଦିବସ
ଆଜି ବିଶ୍ବ ଯୋଗ ଦିବସ
ଯୋଗ ପ୍ରାଣାୟାମ ବହୁ ପୁରାତନ
ସାଧନା ଆଧ୍ଯାତ୍ମ ଜ୍ଞାନ
ଶିବ ବାମଦେବ ବାର୍ତ୍ତାଳାପୁ ଲବ୍ଧ
ଅଭ୍ଯାସେ ହୁଏ ସୁଗମ ।
ଧ୍ଯାନ ପ୍ରତ୍ଯାହାର ଧାରଣା ସମାଧି
ଯମ ନିୟମ ଆସନ
ଋଷି ପତଞ୍ଜଳି ଅଷ୍ଟାଙ୍ଗ ଯୋଗର
କଲେ ସଙ୍ଗତ ବ୍ଯାଖ୍ଯାନ ।
ଯୋଗ ଆଧାରିତ ମିତ ଶ୍ଵାସକ୍ରିୟା
ଅନୁଲୋମ ଓ ବିଲୋମ
ପ୍ରଶ୍ବାସ ପୂରକ ନିଃଶ୍ବାସ ରେଚକ
କୁମ୍ଭକ ଶ୍ବାସ ଧାରଣ ।
ଜ୍ଞାନଯୋଗ ବଳେ ଶୁଦ୍ଧ ଅନ୍ତର୍ଦୃଷ୍ଟି
ବଢେ ବିଶ୍ଳେଷଣ ବୁଦ୍ଧି
ମୁଦି ଦେଲେ ଚକ୍ଷୁ ଜାଣିହୁଏ ସତ୍ଯ
ଲଭଇ ସାଧକ ସିଦ୍ଧି ।
ଭକ୍ତି ଯୋଗାଭ୍ଯାସେ ଉପୁଯଇ ଶ୍ରଦ୍ଧା
ପ୍ରେମ ନିଷ୍ଠା ସମର୍ପଣ
ଭଗବତ ସତ୍ତା ହୁଏ ଉପଲବ୍ଧି
ପୂର୍ଣ୍ଣ ହୁଏ ମନସ୍କାମ ।
ହୁଏ କର୍ମଯୋଗୀ କର୍ମରେ ତତ୍ପର
ଫଳରେ ନରଖି ଆଶା
ଛାଡି ଅହଂକାର ପର ଉପକାର
କରେ ଦାନ ଧର୍ମ ସେବା ।
ଶାରିରୀକ ତନ୍ତ୍ର ହୁଏ ନିୟନ୍ତ୍ରଣ
କଲେ ଆସନ ଅଷ୍ଟାଙ୍ଗ
ବ୍ୟବସ୍ଥିତ ହୁଏ ଚେତନା ବ୍ଯକ୍ତିତ୍ବ
ପତଞ୍ଜଳି ରାଜଯୋଗ ।
କ୍ରିୟାଯୋଗେ ସିଦ୍ଧି ମିଳଇ ଅପାର
ଶକ୍ତି ହୁଏ ଆହରଣ
ଚାହିଁଲେ ସାଧକ କରିପାରେ ବହୁ
ଅସାଧ୍ୟ କାର୍ଯ୍ଯ ସାଧନ ।
ସୃଷ୍ଟି ହେଉ ସୁସ୍ଥ ଚିନ୍ତା ଓ ଚେତନା
ବିଚାର ସୁମୂଲ୍ଯବୋଧ
ଯୋଗ ଦିବସର ଶୁଭ ଅବସରେ
ସୁସ୍ବାଗତ ଧନ୍ୟବାଦ ।
