ଯେବେ ବର୍ଷା ଆସେ ଆମ ଓଡିଶାକୁ
ଯେବେ ବର୍ଷା ଆସେ ଆମ ଓଡିଶାକୁ
ଲାଗିଲା ଆକାଶେ ବାଦଲର ମେଳା
ଝଟକିଲା କଳା ମେଘେ ବିଜୁଳି
ଛମ ଛମ ହୋଇ ବରଷେ ଶ୍ରାବଣ
ଖାଲଖମା ଗଲା ଜଳେ ଉଛୁଳି ।
ଶୁଭେ ରହି ରହି ଶବ୍ଦ ଘଡଘଡି
ଲାଗି ଲାଗି ରହେ ବରଷା ଝଡି
ନଦୀ ନାଳ ଯାଏ ବର୍ଷା ଜଳେ ଭରି
ମାଡି ଆସେ କୂଳେ ପ୍ରବଳ ବଢି ।
ବନ୍ଯାରେ ହୁଅଇ ବହୁ କ୍ଷୟକ୍ଷତି
କ୍ଷେତର ଫସଲ ଜୀବନ ହାନୀ
ଭାଙ୍ଗେ ଘରଦ୍ବାର ବ୍ଯାପେ ମହାମାରୀ
ସୃଷ୍ଟି ନାଶ କରେ ବହୁଳ ପାଣି ।
ଯେବେ ବର୍ଷା ଆସେ ଆମ ଓଡିଶାକୁ
ବିପଦ ସତେ କି ଆସଇ ମାଡି
ନଦୀକୂଳ ସ୍ଥିତ ଗ୍ରାମ ଓ ସହରେ
ଲୋକେ ଆତଙ୍କିତ ହୁଅନ୍ତି ଭାରି ।
ହୋଇଲେ ନଦୀରେ ବନ୍ଧ ଆନିକଟ
ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ
ଜଳ ବିଦ୍ୟୁତର ଉତ୍ପାଦନ ସହ
ଜଳଯୋଗେ ଜମି ହେବ ସେଚିତ ।
ଜଳଭଣ୍ଡାରରେ ହୁଅଇ ସଞ୍ଚିତ
ମଧୁର ବିଶୁଦ୍ଧ ଜଳ ପାନୀୟ
ଯୋଗାଣ ହୁଅଇ ନଳ ସାହାଯ୍ଯରେ
ରହେନାହିଁ ଜଳକଷ୍ଟର ଭୟ ।
ହୋଇ ବିଭାଜିତ ଶାଖା ଉପଶାଖା
ବହି ଯାଉଛନ୍ତି ଅନେକ ନଦୀ
ବନ୍ଯାର ପ୍ରକୋପ ହେବ ପ୍ରଶମିତ
ବହୁମୁଖୀ ବନ୍ଧ ନଦୀରେ ବାନ୍ଧି ।
ଉପଯୋଗ କଲେ ଜଳ ସମ୍ବଳକୁ
ବିକଶିବ ନୂଆ ଆଲୋକ ଆଶା
କୃଷି ଯୋଗାଯୋଗ ବାଣିଜ୍ଯ ଶିଳ୍ପରେ
ସମୃଦ୍ଧ ହୋଇବ ଆମ ଓଡିଶା ।
