STORYMIRROR

Dr Ganeswar Jena

Action

4  

Dr Ganeswar Jena

Action

ଦାଦନ

ଦାଦନ

1 min
400

ଜାଣିଛ କି ନାହିଁ !

ଏଇ ଯୋଉ ଚିକ୍ ଚିକ୍ ରାସ୍ତାରେ 

ତୁମ ଗାଡି ସାଇଁ ସାଇଁ ଗଡୁଛି

ଏଇ ଯୋଉ ମଖମଲ ଶେଯରେ

ଗ୍ରୀଷ୍ମର ଦାରୁଣ କଷ୍ଟକୁ ଗୋଇଠା ମାରି 

ତମେ ଶିତଳେଇ ଯାଉଛ

କୋର୍ଟ ଟାଇ ଭିଡି

ପ୍ରେମିକା ସହ ସେଲ୍ଫି ନେଉଛ

ମଲ୍ ଟାକୁ ବୋହି ଆଣି ନିଜ ଘରେ ଗୋଟେ ଅସରନ୍ତି ମାସିକିଆ ଭଣ୍ଡାର କରୁଛ

ସେଥିରେ ମିଶିଛି ଆମର ରକ୍ତ !

ଲୁହ ଲହୁ ଢାଳି

ପେଟ ପିଠିକୁ ଏକାକାର କରି 

ରକ୍ତ ନିଗାଡି, ଗଢ଼ିଥିଲୁ ଦେଶ

ଆମେ କଣ ଯୋଦ୍ଧା ନୁହେଁ,ନୁହେଁ ବି ସୈନିକ ?

କାହିଁ କେବେ ତ ମିଳିନି ସେ ମର୍ଯ୍ୟାଦା

ଅଭିବୃଦ୍ଧି ବୋଲି ଗୋଟେ ଶବ୍ଦ 

ଅଛି କି ନାହିଁ ତୁମ ଶବ୍ଦ କୋଷରେ

କୋଉଠୁ ସିଏ ଆସେ,କିଏ ତାର ବିନ୍ଧାଣି ?


ଭାବିଛ କି ଥରେ !

ଯାହାକୁ ଗଢିଲ ସ୍ୱର୍ଗର ଚାନ୍ଦ ଦେଇ

ଜ୍ଞାନର ମନ୍ଦିର ସୃଷ୍ଟି କରି

ଏଇ ଦେଶକୁ ନେବାପାଇଁ ଆଗେଇ

ପଦାଘାତ କରି ସେ ଉଡ଼ିଗଲା 

ପୁଣି କାହାର ଗୋଲାମ୍ ହୋଇ

ବ୍ରେନ୍ ଡ୍ରେନ୍ କଲା କିଏ

ଆମେ ନା ସିଏ !

ବ୍ୟୋମଯାନେ ତାଙ୍କୁ ଆଣିଲ ସଂଖୋଳି

ଯିଏ ଦିନେ ତୁମେ ଯାଇଥିଲା ଭୁଲି

ମାଟି ମୁହାଁ ପଡି ଉଠି ଫେରିଲୁ ଯେ 

ଭିଟା ମାଟିକୁ,ତୁମ ଆଖିରେ ଆମେ ପ୍ରବାସୀ

ଆମ ନିଜ ମାଟିରେ ଆମେ କିନ୍ତୁ ଆଜି ଅଛୁଆଁ

ହାର ମାନିନାହୁଁ ଆମେ ଜୀବନ ଯୁଦ୍ଧରେ

ତଥାପି ଭାଙ୍ଗି ଯାଇନି ବିଶ୍ୱାସ, 

ଚହଲି ଯାଇନି ଭଲ ପାଇବା ଆମର 

ଯେଉଁ ରକ୍ତ ଝରୁଛି ଆଜି କ୍ଷତାକ୍ତ ପାଦରୁ

ରକ୍ତ ନୁହେଁ, ଶପଥ ଆମର 

ସେଇ ରକ୍ତ ଦେବୁ ପୁଣି ନିଗାଡ଼ି

ବିଶ୍ୱାସ ରଖ ତୁମେ

ଉପହାର ଦେବୁ ତୁମେ 

ପୁଣି ଏକ ସୁନାର ଦେଶ ଗଢି

ଏ ଦେଶ ରହିବ ଚିରକାଳ ଆମର  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action