STORYMIRROR

Dr Ganeswar Jena

Fantasy

4  

Dr Ganeswar Jena

Fantasy

ସ୍ମୃତିରେ ବାଣୀବିହାର

ସ୍ମୃତିରେ ବାଣୀବିହାର

1 min
403


ବାଣୀବିହାର ସେ ବାଣୀର ବିହାର

ନା ରତ୍ନର ଭଣ୍ଡାର କି ସ୍ୱପ୍ନର ସୌଦାଗର 

ଆସିଥିଲି ଧାଇଁ ଦିନେ ସୁଦୂର ପଲ୍ଲୀରୁ 

ରତ୍ନର ସନ୍ଧାନରେ ରତ୍ନଗର୍ଭାର ଆକର୍ଷଣରେ ।।


ଖୋଜିଲି ରତ୍ନ ଦିନେ ସ୍ୱପ୍ନର ଅନ୍ଧାରି ଆଢୁଆଳରେ

ସ୍ୱପ୍ନ ଏଠି ବିକା କିଣା ହୁଏ କ୍ଲାସ ରୁମରେ

ଅଳକା ମାର୍କେଟରେ କି ପାଣି ଟାଙ୍କି ପାଖରେ

ଅବା ପରିଜା ଲାଇବ୍ରେରୀରେ ।।


ବାଲି ଘର କି ତାସ ଘର

କୋଣାର୍କ କି ତାଜ ମହଲ

ଗଢ଼ା ହୁଏ କି ଗଢୁ ଗଢୁ ଭାଙ୍ଗିଯାଏ

ଶିଳାରୁ ଶାଳଗ୍ରାମ

ସୁନେଲି ପ୍ରାତଃରୁ ଧୂମାଛନ୍ନ କ୍ଲାନ୍ତ ସାୟାହ୍ନ

ମୁଁ ଆଜି କରୁଛି ହିସାବ ନିକାଶ 

ଭାଗ୍ୟ ଓ ଭବିତବ୍ୟର

ମୋ ଜୀବନ ଜୀବିକାର

ପାଇଲି କେତେ ଭାଗଫଳ

ରହିଲା କେତେ ଭାଗଶେଷ ।।


ବାଣୀ ବିହାରରେ ସ୍ୱପ୍ନ

ପ୍ରେୟସୀ ଗୋଲାପି ଅଧର ପରି

କେବେ ସେଠୁ ମଧୁ ଝରେ 

କି ଉତ୍ତପ୍ତ ଲାଭା ଉଦ୍ଗିରଣ ହୁଏ

ବିଶ୍ୱାସ ଯେବେ କୋଣ ଠେସା ଦିଏ 

ସନ୍ଦେହର ଘନ କୁହୁଡି ଆସ୍ତରଣ ତଳେ ।।


ତନ୍ଦ୍ରାୟିତ ରଜନୀରେ ଜହ୍ନ ଯେବେ

ଲୁଚକାଳି ଖେଳେ କୃଷ୍ଣଚୂଡ଼ାର ଉଢାଳରେ

କିମ୍ବା ହଜି ଯାଏ ଜଳଦର ଅନ୍ତରାଳେ

ମେଘ ଡମ୍ବର ସ୍ୱରେ 

ବିଜୁଳିର ଚମକ ପୁଣି ଭାସି ଆସେ ଆଶାର କିରଣ ଧରି 

ଛାତ୍ରାବାସର ଛାତ ଉପରକୁ

ଜହ୍ନକୁ ହାତ ବଢ଼େଇ ଥିବା ପ୍ରାଣୀଟି

ପୁଣି କେବେ ନିଜେ ହୋଇଯାଏ ଜହ୍ନ କି ତାରା

ନିଜ ଅଜାଣତରେ ।।


ଏଠି ପୁଣି ଗଢ଼ା ହୁଏ ସ୍ୱପ୍ନର ମିନାର

ଦୁର୍ଭେଦ୍ୟ ଦୁର୍ଗ ଅଟଳ ସୌଧ 

ମୋ ବାଣୀ ବିହାର ସାଜିଛି ମୋ ପାଇଁ ଦିଗବାରେଣୀ

ମୋ କାୟାକଳ୍ପର ସୁଦକ୍ଷ ବିନ୍ଧାଣି

ମନେ ନାହିଁ କେବେ ନେଲି ତା ଠୁ ମେଲାଣି

ମା ଠାରୁ ସନ୍ତାନ କି କେବେ ନେଇପାରେ ମେଲାଣି !

ତାର ପଣତ କାନି ଆଜି ପୁଣି ଆଣିଛି ଟାଣି 

ଜୀବ ଥିବା ଯାଏଁ ରହିଥିବି ରୁଣୀ ।।



এই বিষয়বস্তু রেট
প্রবেশ করুন

Similar oriya poem from Fantasy