STORYMIRROR

Dr Ganeswar Jena

Inspirational

4  

Dr Ganeswar Jena

Inspirational

ବାପା

ବାପା

1 min
316


ବାପା, 

ଏକ ନିଧାଘ ଗ୍ରୀଷ୍ମର ହିମ ଶୀତଳ ବାରିଜଳ

ମୋ ନିଦ୍ରିତ ଛାୟାପଥର ଏକ ସ୍ବର୍ଣ୍ଣାଭ ସକାଳ 

ମୋ ଜୀବନ ଜୀବିକାର ପ୍ରତିଜ୍ଞାବଦ୍ଧ ଇସ୍ତାହାର

ସେଥିପାଇଁ ତ ମୁଁ ଏତେ ବେଫିକର, ନିର୍ବିକାର 

କେବେ ସେ ରୁକ୍ଷ, କେବେ କର୍କଶ କିବା ମମତାହୀନ

ଆମ ମଝି ଘରର ସ୍ଥିତପ୍ରଜ୍ଞ ମେରୁହାଡ଼,ଉଚ୍ଚା ମଥାନ

ତାଙ୍କ ପେଜୁଆ ଆଖିରେ ମେଞ୍ଚାଏ ଅକୁହା ସପନ

ମୋ ମନ ରାଇଜର ବ୍ୟୋମଯାନ ପୁଷ୍ପକ ବିମାନ

ମୋ ହଜିଲା ପିଲାଦିନ ଆଜି ବିସ୍ମୃତିରେ ବିଲୀନ

କେବେ ସେ ଉଲକା ପିଣ୍ଡ କେବେ ନାରିକେଳ

ନୀଳକଣ୍ଠ ହେଇ ପାନ କଲେ କେତେ ଯେ ଗରଳ


ବାପା ଏକ ଅବ୍ୟକ୍ତ ଅନୁଭବ, ହୃଦୟର ସ୍ପନ୍ଦନ

ଏକ ଚୁମ୍ବକୀୟ ଆକର୍ଷଣ ମମତାର ସମ୍ମୋହନ 

ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ସୁରକ୍ଷାବଳୟର ବହଳ ଆବରଣ 

ମୋ ସାଧନାର ଅନ୍ତଃସ୍ୱର, ଠିକଣାର ବତୀଘର

ଧୂମ୍ରାଭ ଚଲାପଥର ଦିଗବାରେଣୀ, ଆଶାର ମରୁଝର 

ଉଜାଣି ସ୍ରୋତର ସୁନାମି ପ୍ଲାବନରେ ମୁଠାଏ ବିଶ୍ୱାସ

ନିରାଶର ହିଲ୍ଲୋଳରେ ତରଙ୍ଗାୟିତ ଆଞ୍ଜୁଳାଏ ନିଃଶ୍ବାସ

ଭରସାର ମୂର୍ତ୍ତିମନ୍ତ ପ୍ରତୀକ, ସତ୍ୟ ଶିବ ସୁନ୍ଦର 

ମୋ ଦେବାଳୟର ଏକାକୀ ଜୀବନ୍ତ ଈଶ୍ୱର


ତୁମ ସେ ସ୍ୱପ୍ନ ସଂକଳ୍ପର କୋଣାର୍କ

ନିହାଣ ମୁନରେ ତୁମ ମାନସ ହଂସର ଚମକ 

ଏତେ ସପନକୁ ରାତି କାହିଁ

ସପନ ତ ଭାଙ୍ଗିଗଲା, ରାତି ତ କପଟ କଲା

ଅଧୁରା କି ରହିଯିବ ତୁମର ସେ ବାଲିଘର

ଗୁଡାଏ ଅଛିଣ୍ଡା ମୋହ ପୁଳାଏ ପୁଞ୍ଜିଭୁତ କୋହ

ଛାଇ ଆଲୁଆର ଖେଳ ତୁମ ପାଉଁସିଆ ମୁହଁ

ବାଦଲରେ ଲୁଚିଗଲ କି ତାରାପୁଞ୍ଜେ ହଜିଗଲ

ଛାତିରେ ଧରି ପୁଳାଏ ମୋହ ଆଉ ମେଞ୍ଚାଏ କୋହ

ଖୋଜୁଛି ତୁମ ଠିକଣା ନେବାକୁ ମନ୍ତ୍ରଣା

କାରଣ ଆଜି ମୁଁ ବାପା, ଚାଲିଛି ପୁଣି ସେଇ

ଗହନ ବନରେ, ଅସମାହିତ ସଂକଳ୍ପ ପଛରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational