ବର୍ଷା ତୁମେ ଫେରିଯାଅ
ବର୍ଷା ତୁମେ ଫେରିଯାଅ
ବର୍ଷା
କୁଆଁରୀ ମନର ଜୋଛନା
ନା ପ୍ରେମିକା ଆଖିର ଛଳନା
କେବେ ସୃଷ୍ଟି କରେ ମୟୂରୀର ନୃତ୍ୟ
ମେଘ ମଲ୍ଲାର ସ୍ୱରେ
ଇନ୍ଦ୍ରଧନୁର ଗୀତ ଗାଏ
ଚଷା ପୁଅର ଉଚ୍ଛଳିତ ଧ୍ୱନିରେ
କେବେ ହୁଏ ସେ କବିତାର ପାଖୁଡା
କବିର ବିରହ ବେଦନାରେ
କିବା ପ୍ରେମୀଙ୍କ ଶୃଙ୍ଗାର ରସରେ
ଝରକା ସେ କଡେ ନୃତ୍ୟ କରେ
ପ୍ରେୟସୀଙ୍କ ଆଲିଙ୍ଗନରେ
ମେଦିନୀର ବୁକୁ ଚିରି ସବୁଜିମା ଭରେ
କିବା ବହି ଯାଇ ନିଜେ ହଜି ଯାଏ
ସାଗର ବୁକୁରେ ।
ନିଝୁମ ରାତିରେ ଯେବେ ମୁଁ ଉଠେ ବିଳିପି
ଜହ୍ନ ଆଉ ତାରାଙ୍କୁ ସାକ୍ଷୀ କରି
ମେଞ୍ଚାଏ କୋହକୁ ଛାତିରେ ଚିପୁଡି ଧରି
ଦୁନ୍ଦୁଭି ଯେବେ ବାଜି ଉଠେ
କାନେ ପୁଣି ଭେଦିଯାଏ ରଣ ତୁରୀ
ନିଦ ଏଠି ହଜିଯାଏ, ଖଣ୍ଡି ଖଣ୍ଡି ସ୍ୱପ୍ନ ସବୁ ଭାସିଯାଏ
ଶ୍ରାବଣ ଏଠି ବୁକୁ ଚିରି ବହିଯାଏ
ଦୁଇ ଧାରା ହେଇ ମୋ ଆଖି କଣରୁ
ଏଠି ତ କେବଳ ମେଞ୍ଚା ମେଞ୍ଚା ବେଦନା
ଆଉ ଯାତନା
ଶ୍ରାବଣ ତୁମେ ଆଉ କେବେ ଆସନା
ବର୍ଷା ତୁମେ ଫେରିଯାଅ ନା ।
କାହା ପାଇଁ ତୁମେ ହେଇପାର ଅମୃତ ଧାରା
ମୋ ପାଇଁ କିନ୍ତୁ ଅସରନ୍ତି ବେଦନା ଭରା
ମୋ ଆଖିରେ ତ ଖାଲି ଖୁନ୍ଦି ହେଇଛି
ଶ୍ରାବଣର ଧାରା
ଆଉ ଗୋଟେ ଶ୍ରାବଣ ଏଠି ଅଲୋଡ଼ା
ନିଃସଙ୍ଗତାର ଜୀବନ
ମୋତେ ଟିକେ ଛାଡିଦିଅ ଏକା
ମୁଁ ପୁଣି କଥାହେବି ଏକୁଟିଆ
ମୋ ସାଥେ ଥିବେ ମୋର ଜହ୍ନ ଆଉ ତାରା ।
