ତୋପାଇଁ ହେଲି ମୁଁ କବି
ତୋପାଇଁ ହେଲି ମୁଁ କବି
ତନୁ ତୋ ବାସୁଛି ଚନ୍ଦନ ଚନ୍ଦନ
ଆଖି ତୋ ଦିଶୁଛି ଭାରି
ମନ ତଳେ ତୋର ମଳୟ ବହୁଛି
ଓଠେ ରଙ୍ଗ ପିଚିକାରି I
ଫୁଲ ତାଙ୍କଦେହେ ତୋ ନାମକୁ ଲେଖି
ଖୁସି ହେଉଛନ୍ତି ମନେ
ଅଭ୍ୟାସ କରୁଛି କୋଇଲି ତୋପାଇଁ
ଗୀତଟେ ଗାଇବ ଦିନେ I
ତାରାମାନେ ସବୁ ମାଳା ଗୁନ୍ଥୁଛନ୍ତି
ମଣ୍ଡିବେ ଲୋ ତୋର ଗଳା
ମଧୁ ସାଇତୁଛି ମଧୁପ ତୋପାଇଁ
ତିଆରିବ ମଧୁଶାଳା I
ତୋ କଣ୍ଠରୁ ଶୁଣି ପ୍ରୀତିର ଗଜଲ
ରାତି ଦେଖିଲାଣି ସ୍ୱପ୍ନ
ତୋ ମୁହଁରେ ଦେଖି ହସର ଲହଡି
ହସୁଛି ପୂନେଇଁ ଜହ୍ନ I
କେତେଯେ ସପନ ତୋପାଇଁ ଲୋ ସଖୀ
ହୃଦୟେ କରିଛି ଘର
ତୋ ଗଭୀର ପ୍ରେମ ଅତଳ ସାଗର
ଚହଲାଏ ମନ ମୋର I
ରଙ୍ଗ ତୂଳୀ ଧରି ବସିଗଲି ଦିନେ
ଆଙ୍କିବାକୁ ତୋର ଛବି
ସେହି ଛବିଗୋଟି କବିତା ପାଲଟି
ସଜାଇଲା ମୋତେ କବି I
