ତୁମ ନୀରବତା
ତୁମ ନୀରବତା
କାହିଁକି କେଜାଣି ମନ ତ ବୁଝୁନି
ଭାବୁଛି ସେଇ ଆମ ଅତୀତର କଥା ,
ଭଲ ଲାଗୁଥିଲା ଦେଖିବାକୁ ତୁମର ସେଇ
ସୁନ୍ଦର ନାଲିଆ ଟୋପା ଲଗା ମଥା |
ପାଦ ଚାପି ଚାପି ତୁମେ ଚାଲୁଥିଲ
ତୁମ ପାଦର ପାଉଁଜିର ରୁଣୁଝୁଣୁ ଶବ୍ଦ ,
କହୁଥିଲା ମୋତେ ଥିରି ଥିରି
ତୁମପାଇଁ ଲେଖିବାକୁ କବିତା ଦୁଇ ପଦ |
ଯେବେ ଲେଖୁଥିଲି ବସି ତୁମକୁ ଭାବି
ମୋର ମନ ନୟନରେ ତୁମକୁ ପରଖି ,
ଭାବୁଥିଲି ତାକୁ କିପରି ସଜାଇବି ଭାବରେ
ମନ ମୋର ତୁମଠାରେ ଥିଲା ଲାଖି |
ଧୀରେ ଧୀରେ ଆସି ପାଶେ ବସୁଥିଲ
ଜାଣି ପାରୁନଥିଲି ,ହଜି ତୁମ ସୁନ୍ଦରତାରେ ,
ମନେ ମନେ ହସି ଆଖି ବୁଜିଦେଇ
ଡୁବିଥିଲି ମୁହିଁ ତୁମ ସେହି ପ୍ରେମରେ |
ନୀରବରେ ବସି ତୁମେ ମୋତେ ଦେଖୁଥିଲ
ଦେଖୁଥିଲ ମୋର ସେହି ଅଧାଲେଖା କବିତା ,
ଥିରି ଥିରି ଡାକି କାନେ କହୁଥିଲ
ଭଲ ଲାଗୁଥିଲା ,ସେହି ତୁମ ନୀରବତା |
ଆଖି ଖୋଲିଦେଇ ଦେଖୁଥିଲି ଯେବେ ତୁମକୁ
କ୍ଷଣକ ପାଇଁ ଚେତାରେ ହରାଉଥିଲି ଚେତା ,
ଲାଗୁଥିଲ ମୋତେ ସତ କି ମିଛ
ଶବ୍ଦ ଯୋଡ଼ୁଥିଲା ତେବେ ତୁମ ନୀରବତା |
ଲାଜେ ଲାଜେ ତୁମେ ଲାଜେଇ ଯାଉଥିଲ
ତୁମ ଓଠର ହସରେ ଥିଲା ମାଦକତା ,
ତାକୁ ଦେଖି ତୁମ ପ୍ରେମର ନିଶାରେ
ମତୁଆଲା କରୁଥିଲା ,ସେହି ତୁମ ନୀରବତା |
ଧୀରେ ଧୀରେ ଯେବେ ଓଠ କହୁଥିଲା
ଭାଷାକୁ ଶବ୍ଦରେ ,ପ୍ରେମର ସେହି ସତ୍ୟତା ,
ଭଲ ଲଗୁଥିଲା ଶୁଣିବାକୁ ସେହି କଥା
ପାଗଳ କରୁଥିଲା ,ସେହି ତୁମ ନୀରବତା |
ତୁମ କଥା ଶୁଣି ,ହସି ହସି ମୁହିଁ
ପଢ଼ୁଥିଲି ତୁମ ପାଇଁ ଲେଖି କବିତା ,
ଅଧାଲେଖା ମୋର ସେହି କବିତା ତେବେ
ପୁର୍ଣ୍ଣ କରୁଥିଲା ,ଶବ୍ଦରେ ତୁମ ନୀରବତା |
ଫେରୁଥିଲି ଶେଷେ ମୋର ଭାବ ରାଇଜରୁ
ଭାବରେ ଲେଖି ମୋର ସେହି କବିତା ,
ଦେଖୁଥିଲି ତୁମକୁ ତୁମରି ମିଠା ହସରେ
କଥା କହୁଥିଲା ସେବେ ତୁମ ନୀରବତା |
ତୁମ ମିଠା ମିଠା ହସରେ ଡୁବିଯାଇ
ଧୋଉଥିଲି ମୋର ମନର ସବୁ ବ୍ୟଥା ,
ଆମ ସେଇ ସମ୍ପର୍କ ନିବିଡ଼ ଥିଲା
ସ୍ୱଚ୍ଛ ନିଷ୍କପଟତାରେ ଭରା ତୁମ ନୀରବତା |