ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ମୁନରେ ଜୀବନ
ତେଜି ତୁଳିତଳ୍ପ ଦୁଗ୍ଧ ଫେନିଳ
ବାସ ଘନବନେ ଶ୍ୱାପଦ ସଂକୁଳ
ବିଚାର ଅଧୀନ ହଉଛିଲବ୍ୟାକୁଳ
ଦେଖୁନି ମୁକତି ସପନ
ବନ୍ଧୁକ ମୁନରେ ଜୀବନ ।
ଚଉଦିଗେ ଘେରାନିବିଡ ବନାନୀ
ମହୁଲ ଫୁଲର ସମ୍ଭାରକୁ ଘେନି
ଦୂର ପାହାଡକୁ ଚାହିଁବି ପାରୁନି
ସରିନାହିଁ ଦେହ ଦହନ
ବନ୍ଧୁକ ମୁନରେ ଜୀବନ ।
ଜଙ୍ଗଲୀ ଫୁଲରେ ଭରିଛି କାନନ
ସୃଷ୍ଟି ଏଠାରେ ନୀଳ ନିରିଜନ
ବିଭୋର ସରିତ କଳକଳ ତାନ
ଭୀତତ୍ରସ୍ତ ମୋର ବଦନ
ବନ୍ଧୁକ ମୁନରେ ଜୀବନ ।
ଅନ୍ତରଙ୍ଗ ବନଫଳର ବାସନା
ରକ୍ତ ଗନ୍ଧ ଛିଟା ବିଗତ କାମନା
ସ୍ମୃତିରେ ରହିବ ରାତିର ଜୋଛନା
ଶିରିଶିରି ବହେ ପବନ
ବନ୍ଧୁକ ମୁନରେ ଜୀବନ ।
ମହୁଲ ଫୁଲର ମହକରେ ଭରା
ଶାଦ୍ ଵଳ ଛାଇ ଏ ମର୍ମବିଧୁରା
ଟଳମଳ ପଦେ ଶୃଙ୍ଖଳେ ଘେରା
ତ୍ରସ୍ତ ହୁଏ ମୁଖ ଦର୍ଶନ
ବନ୍ଧୁକ ମୁନରେ ଜୀବନ ।
କ୍ଷଣୁକ୍ଷଣ ମୋର ବ୍ୟଥା ଜାଗେ ମନେ
ବିଳପି ଉଠଇ ଝିଙ୍କାରୀର ସ୍ଵନେ
ଅଧୀର ହୁଅଇ ଚ଼କ୍ଷୁଲୁହ ପାନେ
ଏ କେଉଁ ବିଧିର ବିଧାନ
ବନ୍ଧୁକ ମୁନରେ ଜୀବନ ।
ବିନିଦ୍ର ରଜନୀ ମହାଭୟଙ୍କର
ଶ୍ୱାନ ଶ୍ଵାପଦଙ୍କ ଶୁଭଇ ଚିତ୍କାର
ଭୀତି ବିଜଡିତ ଭାବ ମରମର
ନିଜ ଭାବନାରେ ମଗନ
ବନ୍ଧୁକ ମୁନରେ ଜୀବନ ।
ପ୍ରହରୀ ବେଷ୍ଟିତ ପ୍ରସ୍ତର ଗୁହାରେ
ବିତୁଛି ସମୟ ରୁଦ୍ଧ ବେଦନାରେ
ସାଇତା ମନର ଶକତି ବଳରେ
ଜୀଇଁଛି ପଶୁର ସମାନ
ବନ୍ଧୁକ ମୁନରେ ଜୀବନ ।
ପ୍ରିୟାର ପ୍ରଣୟ ଜନନୀ ମମତା
ପ୍ରିୟ ପରିଜନ ଆତ୍ମୀୟ ବାରତା
ବଞ୍ଚିବି ଏମତି ସହି ବିଜନତା
ବଢୁଛି ପ୍ରାଣର ଦହନ
ବନ୍ଧୁକ ମୁନରେ ଜୀବନ ।
ସର୍ବଦା ବିପନ୍ନ ମାନବର ପ୍ରାଣ
ପ୍ରଭୁ ଦୟାମୟ କର ପରିତ୍ରାଣ
ମୁକ୍ତ କରିଦିଅ ନହୁଅ ପାଷାଣ
ବିଲୟ ଅନ୍ଧାରୀ ଶାସନ
ବନ୍ଧୁକ ମୁନରେ ଜୀବନ ।
