ଫଗୁଣ କହୁଛି
ଫଗୁଣ କହୁଛି
ମାଘ ସରିଗଲା ଏବେ ଫଗୁଣ ଆସୁଛି ଥିରି ଥିରି ,
ଆନନ୍ଦେ ଉଲ୍ଲାସେ ସଭିଏଁ ଖେଳିବେ ରଙ୍ଗ ପିଚକାରୀ |
କେହି କହେ ତାକୁ ଦୋଳ ପୁନେଇ ,କେହି ହୋଲି,
ସଭିଏଁ ଖେଳନ୍ତି ଫଗୁ ଉଡାଇ ,ମନରେ ଆନନ୍ଦ ଭରି |
କେତେ ରଙ୍ଗରେ ରଙ୍ଗନ୍ତି ଏଠି ,ସବୁ ନର ନାରୀ ,
ପିଲାଠାରୁ ବୁଢା ଖୁସିରେ ଖେଳନ୍ତି ,ସଭିଙ୍କୁ ରଙ୍ଗ ମାରି |
ଧରଣୀ ରାଣୀ ବି ସଜହୁଏ ,ଖେଳାଇ ତାର ସବୁଜତା,
ଭାବୁଛି ସିଏ ଏବେ ବସନ୍ତ ଆସିବ ,ଫେଡ଼ିବ ତାହାର ବ୍ୟଥା |
ଏତେଦିନ କାଳ ଯେତେ କଷ୍ଟ ସହିଚି,ଗ୍ରୀଷ୍ମ ବରଷାର ,
ଉପଶମ ହେବ ସବୁ ବ୍ୟଥା ,ପାଇ ପରସ ବସନ୍ତର |
ନୂଆ ନୂଆ ଦେଖ ବୋହୁରାଣୀ ମୁଖେ ଫୁଟେ ହସ ,
ସେହି ଶେଷ ଫଗୁଣ ଚିଠି ପଢିଲେ ,ହେଉନି ଶେଷ |
ଝିଅଥିଲା ସେବେ ,ପତ୍ନୀ ହୋଇ ହେଲା ,କୁଳର ବୋହୁ ,
ଆଶାରେ ବସିଛି ସିଏ ,ସବୁ କଷ୍ଟ ସହୁ ସହୁ |
ଝିଅ ଥିବାବେଳେ ସିନା ବୁଲି ବୁଲି ଖେଳୁଥିଲା ଫଗୁ ,
ଏବେ ସେବେଳ ନାହିଁ ,ଭାବୁଛି ସରିନାହିଁ କିଛି ସବୁ |
ଜୀବନରେ ତାର ଏହି ନୂଆ ମଣିଷକୁ ପାଇଛି ସିଏ ,
ଫଗୁଣ କହୁଛି ,ଲୁଚି ଲୁଚି ଆଜି ଦେଖାଦେବ ସିଏ |
ଆଶା ସେ ବାନ୍ଧିଚି ,ମନ ଛନ ଛନ ହୁଏ ,
ଫଗୁଣ କହୁଛି ,ନୂଆ ନୂଆ ସବୁ ଏମିତି ହୁଏ |
ଆଖି ମେଲାଇ ,ବସିଛି ସେ ଚାହିଁ ,ଆସିବେ ପ୍ରିୟ ,
ଫଗୁଣ କହୁଛି ,ତରତର ନହୋଇ ଟିକେ ଧରିଥା ଥୟ |
ମନ ତ ବୁଝୁନି ,ସିଏ ପଢେ ଶେଷ ଫଗୁଣ ଚିଠି ,
ଫଗୁଣ କହୁଛି ,ପାଶେ ପାଶେ ରହିଥା ,ଯାଆନି ଉଠି |
ବଡ଼ ଅଭିମାନେ ,ଲୁଚି ଲୁଚି କାନ୍ଦେ ଖୋଜି ଖୋଜି ,
ଫଗୁଣ କହୁଛି ,ଲୁହ ପୋଛିଦେବ ଆସୁଛି ସିଏ ଆଜି |
ତଥାପି କେଜାଣି କାହିଁକି ଭରସା କରୁନି ଫଗୁଣ କଥାକୁ ,
ଫଗୁଣ କହୁଛି ,ବୋହୁ ହୋଇ ଏବେ ସମ୍ଭାଳ ନିଜକୁ |
ସତହେଲା ସେବେ ,ଆସିଲେ ଯେବେ ତାର ହୃଦୟ ଦେବତା ,
ଫଗୁଣ କହୁଛି ,ଅଭିମାନିନୀ ଏବେ ଦିଅ ମିଳନର ବାର୍ତ୍ତା ।