ପରିବେଶ,ବଞ୍ଚାଅ ପ୍ରକୃତି
ପରିବେଶ,ବଞ୍ଚାଅ ପ୍ରକୃତି
ଏଇ ଅଛି ଏଇ ନାହିଁ ମଣିଷ ଜୀବନ
ସୁଖ, ଦୁଃଖରେ ଭରି,
ଚନ୍ଦ୍ରମାର ଆଲୋକ ଏକ ପକ୍ଷ ତମସା
ଅନ୍ୟ ଏକ ପକ୍ଷ ଯେପରି l
ଦେଖୁଛି ମୁଁ ଯାହା ପରତେ ଆସୁଛି ଏଇ
ସବୁ ତ ପ୍ରହେଳିକା,
ରହିବ ବୋଲିକି ଭାବିବା, ମନେ ରଖ ତା
ମୂର୍ଖତାର ପରିଚୟ ଏକା l
ଧୀରେ ଧୀରେ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଅରଣ୍ୟ
ଆଜି ଧ୍ୱଂସର ଭଙ୍ଗୀରେ
ଅଙ୍ଗାରକାମ୍ଳ ବ୍ୟାପୁଛି, ଅମ୍ଳଜାନ ଅଭାବେ
ପ୍ରାଣ ପଡୁଛି ସଙ୍କଟରେ l
ଶୁଖିଛି କୂପ, ଗାଡିଆ, ପୋଖରୀ, ନଦୀ,
ଓ ଝରଣାର ଧାର,
ସମୟର ଚକ୍ରେ, ଲୋପ ହୋଇ ପାଇ
ପାରେ ଜଳରାଶିର l
କଟୁଛି ମଣିଷ ଜୀବନ କେତେ ଲୁଚ କାଳି
ଖେଳ ଭିତରେ
ଦ୍ୱନ୍ଦ୍ବ ଓ ଭୟରେ, ଗତିଶୀଳ ହୁଅ ପରା
ଅନାବନା ରାସ୍ତାରେ l
ବାୟୁ ମଣ୍ଡଳ ତାତି ଚାଲିଛି, ଦେଖ କିପରି
ଭୟଭୀତ ପ୍ରାଣୀ ଜଗତକୁ
ମଣିଷ ସମାଜ କିପରି ହୁଅନ୍ତି କିଂ କର୍ତ୍ତବ୍ୟ
ପଥ ଦେଖି ଲେଲିହାନ ରୂପକୁ l
ବିସ୍ଥାପିତ ହୁଅନ୍ତି କୀଟପତଙ୍ଗ, ବିହଙ୍ଗ, ବନ୍ୟ
ପ୍ରାଣୀ ହରାଇ ସାହାରା ବନଭୂମିକୁ
ମନରେ ଭାବୁଛି ମୁଁ, ଲେଖିଲେ କି ଅବା ଲାଭ
ଏ ଘଟୁଥିବା ସବୁ ଅବ୍ୟବସ୍ଥାକୁ l
ସମସ୍ତେ ଜାଣିଛେ ବାହ୍ୟ ସମ୍ପଦର ଅଧିକାରୀ
ମନୁଷ୍ୟ ଜଗତରେ ନୁହଁ ବଡ଼
ନିଜର ଅନ୍ତର୍ନିହିତ ବିବେକ ଓ ସୁଗୁଣରେ କାର୍ଯ୍ୟ
କଲେ ସେ ତ ଜିତଇ ଗଡ଼ l
ସମାଜକୁ ଛାଡି ଚାଲିଲେ ନିଜ ସ୍ୱାର୍ଥରେ ଗର୍ଵ,
ଖର୍ବ ଓ ପ୍ରତାରଣାରେ
ଜାଣିଛେ ପରା ଯିଏ ଚେଇଁ ଶୋଇ ରହି ଥିବ,
ତାକୁ ଉଠେଇବ କିଏରେ l
ହେ ମଣିଷ ସମାଜ, ଜଗାଅ ବିବେକ, ବଞ୍ଚାଅ
ପ୍ରକୃତି, ଜୀବନ ସାର୍ଥକ ହେବ
ଗଣଚେତନାରେ ବଞ୍ଚିବ ପ୍ରକୃତି, ଆତ୍ମ ସନ୍ତୋଷ
ପାଇବ, ନଚେତ ଡେରି ହୋଇ ଯିବ l
