ନାରୀ....
ନାରୀ....
ବଡ଼ ହସ ଲାଗେ, ବଡ଼ ଦୁଃଖ ଲାଗେ
ଦେଖି ଆଜି ଏହି ସମାଜର ସୁକ୍ଷ୍ମ ଭାବନା,
ମିଥ୍ୟା ଅହଙ୍କାରର ଭାବକୁ ନେଇ ଏହି ମଣିଷ
ନାରୀକୁ ଦିଏ ନୀରବରେ କେତେ କେତେ ନିର୍ଯ୍ୟାତନା |
ଭୁଲିଛି ମଣିଷ ସ୍ରଷ୍ଟାର ସୃଷ୍ଟି ଆଉ ନିୟମ
ନିଜ ସ୍ୱାର୍ଥ ପାଇଁ ଆଜି କରୁଛି ମନ୍ତ୍ରଣା,
ଭୁଲି ତାର ଏହି ଜୀବନ ଦାତ୍ରୀ କରୁଣାମୟୀକୁ
ସେହି ନାରୀର ମାତୃତ୍ୱ ପାଇଁ ଭୋଗିଥିବା ଯନ୍ତ୍ରଣା |
ଯୁଗେ ଯୁଗେ ସଦା ସିଦ୍ଧ ତ ହୋଇଛି
ସମାଜର ଗଠନ ପାଇଁ ଲୋଡ଼ା ନର ନାରୀ,
ଲୋଡ଼ା ସେମାନଙ୍କର ମିଳିତ ଉଦ୍ୟମ ଆଉ ନିଷ୍ଠା
ନାରୀ ନୁହେଁ କେବେ ଏକ ଖେଳନା ପରି |
ପିତୃ କୂଳେ ଜନ୍ମି ସିଏ ଦୁହିତା ରୂପରେ
ଆନନ୍ଦ ଭରି ଦିଏ ତାର ସେହି ସଂସାରରେ,
ଧନ୍ୟ ହୁଏ ପିତା କନ୍ୟା ଦାନ କରି
ନାରୀ ହୁଏ ସେବେ ବୋହୁ ଅନ୍ୟ କୁଳରେ |
କନ୍ୟା ଥିଲା ସିଏ, ନିର୍ଭୟରେ ଅର୍ଜିଲା ଜ୍ଞାନ
ସେହି ଜ୍ଞାନ ବୁଦ୍ଧି ବଳେ ଅସାଧ୍ୟ ସାଧିଲା,
ବିଜ୍ଞାନ, କଳା, କୌଶଳ ଆଉ କେତେ ବିଦ୍ୟାରେ
ନାରୀ କହି ତାକୁ ସମାଜ ଅବଳା ଭାବିଲା |
ସବୁ କଷ୍ଟ ସହି, ବାଧା ଵିଘ୍ନ ଲଙ୍ଘି
ତଥାପି ନିଜ କର୍ମ ପଥରେ ବଢି ଚାଲିଲା,
ସଂସାର ସମ୍ଭାଳି, ନିଜର ସବୁ କର୍ତ୍ତବ୍ୟ କରି
ନାରୀ ଆଜି ଦେଶର କେତେ ଗୌରବ ବଢ଼ାଇଲା |
ସବୁ ବୁଝି, ସବୁ ଜାଣି, ଏହି ସମାଜ
ଦିଏ ନାହିଁ ନାରୀକୁ ତାର ଉଚିତ ସମ୍ମାନ,
ପୌରୁଷତ୍ୱର ଅହଂ ଭାବରେ ଅନ୍ଧ ହୋଇ ସିଏ
ନାରୀର ଯୋଗ୍ୟତାର କରଇ କେତେ କେତେ ଅପମାନ |
ସମୟ ଆସିଛି, ଧୀରେ ଧୀରେ ସିଏ କହୁଛି
ଏବେ ବି କିଛି ଡେରି ହୋଇ ନାହିଁ,
ଶିକ୍ଷା ଜ୍ଞାନ କୌଶଳ ର ଭାରସ୍ୟାମ ରଖି
ନାରୀର ମର୍ଯ୍ୟାଦା ରଖ ଉଚିତ ସମ୍ମାନ ଦେଇ |
ତେବେ ସମାଜ ବଢିବ, ଦେଶ ବିକଶିତ ହେବ
ରହିବ ନାହିଁ କିଛି ଲିଙ୍ଗର ଭେଦ ଭାବ,
ସଂସାର ହସିବ, ସମ୍ମାନ ବଢିବ ଦୁନିଆ ଦୁଆରେ
ନାରୀ ଯେବେ ପୁରୁଷର ସମକକ୍ଷ ହୋଇ ଯିବ ।