ଖରା ବେଳେ
ଖରା ବେଳେ
ଖରା ବେଳଟା ଲାଗେ ଖାଁ ଖାଁ
ସହରର କଳା ମଚ୍ ମଚ୍ ପିଚୁ ରାସ୍ତାରେ
ସ୍ବର୍ଯ୍ୟଙ୍କର ଛାଇ ଆଲୁଅର ଖେଳ
ଚାରି ଆଡ ଦୋକାନ ବଜାର ସବୁ ବନ୍ଦ
ବଡ଼ ବଡ଼ ବରଗଛର ଡାଳରେ
ଚଢେଇ ମାନଙ୍କର କେଁ କଟର ସ୍ବର
ରାସ୍ତାରେ ଯାଉଥିବା ପଥିକ
ନିଛାଟିଆ ଖରାରେ ଆଗକୁ ଆଗ
ମାଡି ଚାଲିଥାଏ
ଜୀବିକା ପାଇଁ ନିଜ ଶରୀରକୁ
ଖରା ବେଳେ ସିଝାଇ ସିଝାଇ
ଗଢି ଚାଲିଥାଏ ବଡ଼ ବଡ଼ କୋଠା ଘର
ଅନ୍ୟର ମୁଣ୍ଡ ଉପରେ ଛାତଟିଏ କରି
ନିଜେ ରହେ କେଉଁ
ଅଜଣା ସହରେ......!!
ନିର୍ଦ୍ଦୟ ସେ ଖରାବେଳେ
ଶୁନଶାନ୍ ମଶାଣିରେ
ଜଳି ଜଳି ପାଉଁଶ ହୋଇଯାଉଥିବା
ସ୍ବପ୍ନ ସବୁ
ସଦ୍ୟ ବିଧବାର ସିନ୍ଥାଭଳି
ଲାଗୁଥାଏ କାନ୍ଦୁରା କାନ୍ଦୁରା
ବିକଟାଳ ଶବ୍ଦ ପରି ଅଟହାସ୍ୟ
କରୁଥାଏ ନିଛାଟିଆ ଖରାବେଳେ।।
ଚୁଲିରେ ନିଆଁ ଜ
ାଳିଲା ପରି
ଚରିଯାଏ ଚାରିଆଡ଼େ ନିଆଁ
ରାସ୍ତା ଘାଟ, ଉତ୍ତପ୍ତ ବାଲୁକା ରାଶିରେ
ଧୂଳି ଝଡ଼ , ଖଣ୍ଡିଆଭୂତ ହୋଇ
ନାଚି ଉଠେ ଝାଞ୍ଜି ଖରା
ନଈପଠା ଓ ଆମ୍ବ ତୋଟାରେ
ସେହି ବିବଶ ଖରାବେଳେ।।
ଖରାଦିନ ଖରାର ଲହ ଲହ ଜିଭ
ଅନବରତ ଶୋଷି ଚାଲିଥାଏ
ରସ ସବୁ ଦେହ, ମନ, ବୃକ୍ଷଲତାରୁ,
ବସ୍ତି ଓ ବିପଣୀ ,ମାଟି ଓ ସମୁଦ୍ରରୁ
ସତେକି କ୍ଷୁଧାତୁର ମଣିଷ ପରି
ସବୁକିଛି ପୋଛିନିଏ ନିମିଷକେ
ଚାହୁଁ ଚାହୁଁ .......
ସତରେ କେତେ ଅବିବେକି
ସେହି ଖରାବେଳେ।।
ସବୁଥିରେ ଶେଷ ଥିଲା ପରି
ଜଣାଅଛି ଏହି ଧରା ଧାମେ
ଜଣେ କ୍ରୁର ନିଷ୍ଠୁର ଶାସକର
ଶେଷଦିନ ଆସିଲା ପରି
କଷ୍ଟ ଦାୟକ , ଜଳାଇ ଚାଲିଥବ
ଏ ଖରାବେଳେ, ଗ୍ରୀଷ୍ମ ବେଳ
ଯେ ପର୍ଯ୍ୟନ୍ତ ବାଜି ନାହିଁ
ବରଷା ରାଣୀର ଆଗନ୍ତୁକ
ମୌସୁମିର ନାଗରା।।