ଖଣ୍ଡିଆ ରାଜା
ଖଣ୍ଡିଆ ରାଜା
ଖଣ୍ଡିଆ ରାଜାର ହୁକୁମ ଚାଲେ
ରଙ୍ଗ ଖେଳିବାକୁ ବାହାର ପିଲେ ।
ଵାସି ଦୋଳ ଦିନ ତାଙ୍କ ରାଜୁତି
ଭାଇଚାରା ଭାଵ ସିଏ ବାଣ୍ଟନ୍ତି ।
ଭଙ୍ଗା ଚଉକିରେ ବାନ୍ଧି ଦି' ଵାହି
ଚାରି କାନ୍ଧେ ତାଙ୍କ ରଥ ଚାଲଇ ।
ଅଲୋଡା ଦରଵ ସବୁ ସାଇତି
ସଜେଇ ରଖନ୍ତି ନିଜର ଗାଦି ।
ଭଙ୍ଗା ଛତା ଛତ୍ରୀ ରୂପେ ଶୋଭିତ
ଭଙ୍ଗା ଵିଞ୍ଚଣା ଯେ ଚାମରେ ନିତ୍ୟ ।
ଭଙ୍ଗା ଦାନ୍ତ ସହ କେଶ ଯେ ଝୋଟ
ମଥାରେ ଶୋଭିତ ଝାମ୍ପି ମୁକୁଟ ।
ବ୍ୟଙ୍ଗ ବଚନରେ ଆଦେଶ ଟାଣ
ଯିଏ ନ ଆସନ୍ତି ଉଠାଇ ଆଣ ।
ଯହିଁ ଯାହା ମିଳେ ଖାଦ୍ୟ ଆକାରେ
ଵାଣ୍ଟି ଖାଇବାକୁ କୁହନ୍ତି ଧୀରେ ।
ଧନୀ କି ଗରୀବ ସକଳ ଜନ
ଖଣ୍ଡିଆ ରାଜା ର ଆଗେ ସମାନ ।
ଗୋରା କଳା ଵାଛ ବିଚାର ନାହିଁ
ଫଗୁ ବୋଳି ଏକ ପରି ଦିଶଇ ।
ପ୍ରତି ପ୍ରାଣ ଆଜି ଯାଇଛି ମିଶି
ସବୁ ଦିନେ ରହୁ ଏପରି ଖୁସି ।
ଖଣ୍ଡିଆ ରାଜାର ଏ ମନ କଥା
ରାଧା କୃଷ୍ଣ କର ନାହିଁ ଅନ୍ୟଥା ।
