ଖୁଦୁରୁକୁଣୀ
ଖୁଦୁରୁକୁଣୀ
ଭୋଦୁଅ ଆସିଲେ ଝିଅ ମେଳି ମେଳି
ସାହିରେ କରନ୍ତି ସଭା,
କେଉଁଠି ପୂଜିବା ଖୁଦୁରୁକୁଣୀ ଙ୍କୁ
ବଢାଇ ଅଞ୍ଚଳ ଶୋଭା ।
ପୁଅ ସହଯୋଗ କରନ୍ତି ଆଦରେ
ମଣ୍ଡପ ଉଠଇ ହସି,
ନଟା ବାଦଲ ର ଦୃଶ୍ୟେ କେଉଁଠାରେ
ମାଆ ପୂଜା ପାଏ ବସି।
ନାନା ଜାତି ଫୁଲ ତୋଳି ପ୍ରଭାତରୁ
ଝିଏ ଯାନ୍ତି ଜଳାଶୟ,
ସ୍ନାନସାରି ଫୁଲ ଡଲାରେ ମାଆଙ୍କୁ
ଡକାନ୍ତି ନିଜ ନିଳୟ ।
ନିଜ ପୂଜା ପିଢେ ମାଆଙ୍କୁ ସଜ୍ଜାଇ
ଦିଅନ୍ତି ଭକତି ଅର୍ଘ୍ୟ,
ଖୁଦୁରୁକୁଣୀ ଙ୍କୁ ଖୁଦ ମୁଠେ ଦେଲେ
ଗୁହାରି ଶୁଣନ୍ତି ଆଗ ।
ସଞ୍ଜ ନଇଁ ଗଲେ ଘିଅ ଦୀପ ଜାଳି
ବସନ୍ତି କନିଆଁ ଗଣ,
ସ୍ଵରେ ଭାବ ରଖି ମାଆଙ୍କ ମହିମା
ପଢୁଥାନ୍ତି ଜଣଜଣ ।
କେଉଁ କାଳୁ ଏହି ପୂଜା ଚାଲିଅଛି
ଭାଇଙ୍କ ମଙ୍ଗଳ ଚିନ୍ତି,
ବେନି କେନା ସିଏ ଗୋଟିଏ ବୃକ୍ଷ ର
ସ୍ନେହ ଶ୍ରଦ୍ଧା ଭରା ମତି ।
ଉତ୍କଳ ମାଟିରେ ସତ୍ୟ ସନାତନ
ଭେଇଛନ୍ତି ପର୍ବ ଯେତେ,
ଭକ୍ତି ଆରାଧନା ଭାବ ଚେତନା ରେ
ଶାନ୍ତି ଭରିଥାଏ ଚିତ୍ତେ ।
ମାଆ ମଙ୍ଗଳା ଯେ ତଅପୋଇ ପାଇଁ
ହୋଇଲେ ଖୁଦୁରୁକୁଣୀ,
ମାଟି ଭାଲୁକୁଣି ଜୀବନ ପାଆନ୍ତି
ଭାବ ଭକ୍ତି ଅର୍ଘ୍ୟ ଘେନି ।
ଭାଦ୍ରବ ମାସର ପ୍ରତି ରବିବାରେ
ଏହି ପୂଜା ହୋଇଥାଏ,
ଶେଷ ପାଳି ନିଶା ଅର୍ଦ୍ଧ ପାର ହେଲେ
ଜଳେ ବିସର୍ଜନ୍ତି ଝିଏ ।
ଦୁଇ ଭାଲୁକୁଣି ହେଲେ ଭେଟାଭେଟି
ପୋଖରୀ ତୁଠରେ କଳି,
ଆମ ଭାଲୁକୁଣି ସରଗ ସୁନ୍ଦରୀ
ତୁମ ଭାଲୁକୁଣି କାଳି ।
ବାପଘରୁ ଝିଅ ଓଷା କରିଯାଏ
ଶାଶୁଘରେ କରେ ବ୍ରତ,
ସ୍ଵାମୀ ସନ୍ତାନଙ୍କ ମଙ୍ଗଳ ନିମନ୍ତେ
ରହିଣ ଉପାସ ସେତ ।
ଖୁଦୁରୁକୁଣୀ ଙ୍କୁ ପୂଜା କଲା ଦିନୁ
ମାଆ ମଙ୍ଗଳା ତା ସାହା,
ଶାଶୁଘରେ ତା'ର ହୁଏ ଜୟକାର
ଧରି ଚାଲେ ଧର୍ମ ରାହା ।
