ନିଃବଂଶ ପ୍ରାର୍ଥନା ,
ନିଃବଂଶ ପ୍ରାର୍ଥନା ,
କାହିଁକି ଗଢିଛ ମାୟାର ସଂସାର
ସଚେତନ କରି ପ୍ରାଣୀ,
କ୍ଷୁଧା ତୃଷ୍ଣା ପାଇଁ ହୁଏ ନାରଖାର
ତୁମକୁ ନପାରେ ଜାଣି ।
ଦୁର୍ବଳ ପ୍ରାଣୀଏ ସବଳ ନିକଟେ
ଚଳନ୍ତି କିଙ୍କର ମଣି,
ଚତୁର ପଣରେ ଲୋଭ କରୁକରୁ
ମୋହ ନିଏ ବୁଦ୍ଧି ଟାଣି ।
ଅଭାବରେ ଥାଇ ଡାକୁଥିଲାଯେବେ
ଆସୁଥିଲ ଡାକ ଶୁଣି ,
ସୁସ୍ଥ ସମାଜର ଆକୁଳ ପ୍ରାର୍ଥନା
ଛଳନାରେ ନେଲ ଗଣି ।
ଯେଉଁ ସ୍ନେହ ଶ୍ରଦ୍ଧା ଭଲପାଇବାରେ
ଥିଲା ଈଶ୍ୱର ଙ୍କ ବାଣୀ,
ଭାଗବତ ଟୁଙ୍ଗୀ ବିଲୟ ଦିନରୁ
ଜ୍ଞାନ ସବୁ ହଜିଲାଣି ।
ହେଲା କଳେବର ବଦଳିବା ବେଳ
ଧର୍ମ ନିଅ କିଛି କିଣି,
ପାପ ପୂଣ୍ୟ ଭେଦ ନବୁଝି ମଣିଷ
ଦୁଃଖୀ ଜନ୍ମ ହୁଏ ପୁଣି ।
ରଥରେ ଦେଖିଲେ କଳା ସାଆନ୍ତଙ୍କୁ
ପିଣ୍ଡେ ପସେ ଜ୍ଞାନ ରାଣୀ,
ଏ କାଳ ଭକତ ହେଲେ ପର୍ଯ୍ୟଟକ
ପାପ ନେଇଯାଏ କିଣି ।
ତେଣୁ କଳି ଶେଷେ କାଳିଆ ଠାକୁର
ଦେଖାଏ ଅଦ୍ଭୁତ ଠାଣି,
ରାଜତନ୍ତ୍ରେ ଆଉ ଇନ୍ଦ୍ରଦ୍ୟୁମ୍ନ ନାହିଁ
ପାରିବ ସେକଥା ଜାଣି ।
ନିଃବଂଶ ପ୍ରାର୍ଥନା କର ଇନ୍ଦ୍ରଦ୍ୟୁମ୍ନ
ନିଜକୁ ସରବେ ମାନି ,
ମାୟା ସଂସାର ର ନୀୟନ୍ତା ଙ୍କୁ ଚିହ୍ନ
ସୁଖ ଶାନ୍ତି ହେବ ବୁଣି ।
