ଓଡ଼ିଆ ନୂଆ ବରଷ
ଓଡ଼ିଆ ନୂଆ ବରଷ
ଆସିଛି ଓଡ଼ିଆ ନୂଆ ବରଷ, ଓଡ଼ିଆଙ୍କ ମୁଖେ ଫୁଟାଇ ହସ । ପ୍ରଭୁ ଜଗନ୍ନାଥଙ୍କର ଆଶିଷ, ଖେଳିଯାଏ ପିଣ୍ଡେ ଜ୍ଞାନ ସୁବାସ । ଆଜି ଜନ୍ମି ହନୁ ଭକ୍ତ ବିଶେଷ, ଦେଲେ ଆଧ୍ୟାତ୍ମିକ ଜ୍ଞାନ ଆଭାସ । ଆଜିଠୁ ଉତ୍ତରେ ସୂର୍ଯ୍ୟ ପ୍ରବେଶ, ଧର୍ମେ ଜାତ ଆଦ୍ୟ ବୈଶାଖ ମାସ। ବାନ୍ଧୁ ବସନ୍ତରା ତୂଳସୀ ଶିର୍ଷ, ଜଳଦାନ କରୁ ଧରମ ପାଶ । ଝାମୁରେ କରିଛୁ ନିଷ୍ଠା ବିଶ୍ଵାସ, ବାଣ୍ଟୁ ବେଲପଣା ସ୍ଵତଃ ଅଶେଷ । ଆଜିଠାରୁ ଫଳେ ପାଞ୍ଜି ସନ୍ଦେଶ, ଋଷିଙ୍କ ବିଧାନ ଲାଗେ ସନ୍ତୋଷ। ସୂର୍ଯ୍ୟଙ୍କର ଗତି କୃଷି ନିବେଶ, ଧରିତ୍ରୀ ଧରଇ ନବୀନ ବେଶ । ସନାତନ ଧର୍ମେ ଏମିତି ଫାସ, ହୋଇ ପାଳୁ ନିତି ସ୍ଵାସ୍ଥ୍ୟର ବଶ । ବସନ୍ତ ଭାବୁକ ଚିନ୍ତି ଅବଶ୍ୟ, ନୂଆ ବର୍ଷ ପାଇଁ ଖଞ୍ଜେ ବିଶେଷ। କୋକିଳ କଣ୍ଠରେ ପଞ୍ଚମ ରସ, ମଳୟ କରଇ ପ୍ରାଣ ଉଲ୍ଲାସ । ମାଟି ଯେବେ ପାଏ ଗ୍ରୀଷ୍ମ ପରସ, ଜଗତେ ଫଳଇ ସୁବର୍ଣ୍ଣ ଶସ୍ୟ । ଆସବ ବୋଲି ଏ ସମୟ ବିଶ୍ଵ, ପତ୍ର ପୂର୍ଣ୍ଣ ହୁଏ ପାଦପ ଦେଶ । ମଲ୍ଲି ଚମ୍ପା ବାସ ହରେ ଉଦାସ, ଅମୃତ ଖୁଆନ୍ତି ଫଳ ସରସ । ଜଗନ୍ନାଥବାଦୀ ସକଳ ଆସ, ସ୍ଵାଗତ କରି ଏ ନବ ବରଷ ।।
