ହେ ରାମ
ହେ ରାମ
ଶୁଣିଛୁ ପଢୁଛୁ ଜୀବନୀ ବୃତ୍ତାନ୍ତ
ଚରିତ ମହାପୁରୁଷ
ଜନମ ଲଭିଣ ଏଇ ଧରାପୃଷ୍ଠେ
ରଖି ଯାଇଛନ୍ତି ଯଶ ।
ଅବତରି ଥିଲେ ରାମ କୃଷ୍ଣ ବୁଦ୍ଧ
ସତ୍ୟ ତ୍ରେତୟା ଦ୍ୱାପରେ
ସତ୍ୟ ଗୁଣାଦର୍ଶ କରିଲେ ସ୍ଥାପନ
ସଂହାରି ଦୈତ୍ୟ ଅସୁରେ ।
କ୍ରୁଶବିଦ୍ଧ ହୋଇ ପ୍ରଭୁ ଯୀଶୁଖ୍ରୀଷ୍ଟ
ଆଚରିଲେ ଗୁଣ କ୍ଷମା
ଇଚ୍ଛିଲେ ସୁବୁଦ୍ଧି ସଦ୍ଭାବନା ପ୍ରେମ
ପରମେଶ୍ୱର ପ୍ରାର୍ଥନା ।
ସାବରମତୀର ସନ୍ଥ ମହାତ୍ମା
ଗାନ୍ଧିଜୀ ଅହିଂସା ମନ୍ତ୍ରେ
କିଣି ପାରିଥିଲେ କୋଟି ଜନମନ
ଆମରି ଦେଶ ଭାରତେ ।
ପ୍ରବଳ ପ୍ରତାପୀ ଇଂରେଜ ଶାସନ
ହୋଇଥିଲା ଥରହର
ହାସଲ କରିଲା ପୂର୍ଣ୍ଣ ସ୍ୱାଧିନତା
ଭାରତ ଦେଶ ଆମର ।
ହୁଏ ଯୁଗେ ଯୁଗେ ଅନ୍ୟାୟ ବିରୁଦ୍ଧେ
ସତ୍ୟର ମହସଂଗ୍ରାମ
ଅସତ୍ୟ ପାପର ହୁଅଇ ବିନାଶ
ଜିଣିଥାଏ ସତ୍ୟ ପୁଣ୍ୟ ।
ଅତି ସନ୍ତର୍ପଣେ ଆସନ୍ତି ନିଶବ୍ଦେ
ମୃତ୍ୟୁଦୂତ ଆତତାୟୀ
ନିକ୍ଷେପନ୍ତି ଶର ଚଢାନ୍ତି ଫାଶରେ
ବନ୍ଦୁକେ ଫୁଟାନ୍ତି ଗୁଳି ।
ଟଳଇ ଶରୀର ରହିଯାଏ ଯଶ
ରାମ କୃଷ୍ଣ ଭଗବାନ
ମହାତ୍ମାଙ୍କ ମୁଖେ ଲାଖିରହେ ହାସ୍ୟ
ଉଚ୍ଚାରଣ ହେ-ରାମ ।
ଜଗତ ଉଦ୍ଧାର ନିମନ୍ତେ ମହାତ୍ମା
କରନ୍ତି ସର୍ବସ୍ୱ ଦାନ
ହେ ଜ୍ୟୋତି ସ୍ୱରୂପ ପୂର୍ବସୂରୀଗଣ
ମହାତ୍ମା କୋଟି ପ୍ରଣାମ ।
-------
