STORYMIRROR

Chinmaya Kumar Nayak

Abstract Children

4  

Chinmaya Kumar Nayak

Abstract Children

ସିଲଟ

ସିଲଟ

1 min
319

ଝାପ୍ସା ମନେପଡ଼େ ମୋର ସେଦିନ ହାତରେ ଥିଲା

କାଠପଟା ବନ୍ଧେଇ ମାଟି ସିଲଟଟିଏ,

ଧଳା ବେଷ୍ଟନୀ ଭିତରେ ସେ କଳା ମଚମଚ ଦେହ ତାର

କେଜାଣି କାହିଁକି ବେଶ ସୁନ୍ଦର ଦିଶୁଥାଏ,

ନାଲି ନୀଳ ରଙ୍ଗର ମୋହ ଛାଡ଼ି ଦେଇ

ଜାଣେ ନାହିଁ କେଉଁଠୁ ଆସିଲା ମନେ

ଏ କଳା ରଙ୍ଗ ପ୍ରତି ଏମିତିକା ଆକର୍ଷଣଟିଏ !


ଫିଙ୍ଗିଦେଇ ତୁଳାର କଣ୍ଢେଇ ଓ ରଙ୍ଗୀନ ଖେଳନା ସବୁ

ମାଡ଼ି ବସିଥିଲି ଖଡ଼ି ଖଣ୍ଡଟିକୁ ଉତ୍କଣ୍ଠାର ସହ,

ଏପଟ ସେପଟ କରି ଦେଖି ସାରିବା ପରେ

ହାତ ଚାଲିଲା ପାଟି ଭିତରକୁ ସେ ଖଡ଼ି ଖଣ୍ଡକ ସହ,

ଆକଟ କରି ମାଆ ମୋର ଧରି ଦୁଇ ହାତ

ସିଲଟ ଉପରେ ରଖି କହିଲା ସସ୍ନେହେ

ଆଜିଠୁ ଏ ତୋର ଖେଳନା ଖେଳିବୁ ତୁ ନିତି ଏହା ସହ। 


ଅବୁଝା ଆଖିରେ ଚାହିଁ ହସିଦେଲି ଧୀରେ

ଓ ଘଷି ଚାଲିଲି ଖଡ଼ି ଧରି ସିଲଟ ଉପର

ସେଥିରୁ ବିରତ କରି ମାଆ ମୋର ଧରିନେଲା ମୋଠାରୁ ସିଲଟ

କାନିରେ ତା ପୋଛି ଦେଇ କଲା ପରିଷ୍କାର

ଆଙ୍କିଦେଲା ତିନୋଟି ଗୋଲ ତାର ହାତକୁ ବୁଲାଇ

ଏ ଅଟନ୍ତି ତିନି ଠାକୁର ଭୁବନ ଈଶ୍ୱର

ନାଁ ତାଙ୍କ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର। 


ମାଆର ନିର୍ଦେଶ ପାଇ ଖଡ଼ି ଚାଳନା କଲି

ଧୀରେ ଧୀରେ ସେ ତିନି ଗୋଲେଇ ଉପରେ

ଆଜି ମୁଁ ଭାବୁଛି ସତେ କେତେ ଉତ୍କଣ୍ଠା ଓ ବିଶ୍ୱାସର ସହ

ଈଶ୍ୱରଙ୍କୁ ଗଢୁଥିଲି ମୋ କୁନି ହାତରେ ମୋର ସିଲଟ ଉପରେ !


ଆଜି ସେ ସିଲଟ ନାହିଁ ଓ ଲିଭିଯାଇଛି ସେ ତିନୋଟି ଗୋଲେଇ

ଆଉ ମୁଁ ପାରେନା ଆଙ୍କି ସେପରି ଉତ୍ସାହେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର

ସିଲଟ ଭଳି ଲିଭିଯାଇଛି ମୋ ହୃଦୟରୁ ସେ ସରଳ ବିଶ୍ବାସ

ମୋ ବୁଝିଲା ଚିତ୍ତରେ ବି ଆଜି ସେତିକି ଅବୁଝା

କିଏ ସେ ଈଶ୍ୱର ଓ କିପରି ଦିଶେ ରୂପ ବୈଭବ ତାଙ୍କର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract