ଆସିଛି ପଉଷ
ଆସିଛି ପଉଷ
ଶେଯ ଛାଡିବାକୁ ହେଉନାହିଁ ମନ
କାଉ ରାବିଲାଣି କାଆ
କଅଁଳ ଖରାରେ ଆସିଛି ପଉଷ
ବହେ ସୁଲୁସୁଲୁ ବାଆ ।
ଗଛପତରରୁ ମୁକୁତା ପରିକା
ଶିଶିର ପଡୁଛି ଝରି
ଲାଗୁଛି ହେମାଳ ଶୀତଲୁଗା ଥାଇ
ଦେହ ଯାଉଅଛି ଥରି ।
ଘେରି ରହିଥିବା ଘନ କୁହୁଡିରେ
ଦିଶୁନାହିଁ ଦୂର ବାଟ
ଭିଡ ଜମୁନାହିଁ ନୂଆ ବୋହୂଙ୍କର
ଖାଆଁ ଖାଆଁ ନଈ ଘାଟ ।
ଖରା ଖୋଜି ଖୋଜି ବୁଢ଼ା ବୁଢ଼ୀ ଯେତେ
ବାହାରେ ବସନ୍ତି ଆସି
ଧାନ କାଟିବାକୁ ତରତର ହୋଇ
ବିଲ ଆଡେ ଧାଏଁ ଚାଷୀ ।
ବଗିଚା ସୁନ୍ଦର ଗେଣ୍ଡୁ ଗୋଲାପରେ
ହସୁଛନ୍ତି ସବୁ ଫୁଟି
ବରଷକ ପରେ ପିଲେ ପାଇଛନ୍ତି
ଧାନ କଟାକଟି ଛୁଟି ।
ଧାନ କିଆରୀଟି ହଳଦୀ ହଳଦୀ
ଦେଖିବାକୁ ମନଲୋଭା
ଉଡି ବୁଲୁଥାନ୍ତି କଜଳପାତିଏ
ବଢାଇ ତାହାର ଶୋଭା ।
ଆଳୁ ବାଇଗଣ କୋବି ମୂଳା ଆଦି
ପନିପରିବାର ଚାଷ
ଚଷା ପୁଅ ଏବେ କରିବ ହରଷେ
ଲାଗିପଡି ସାରା ମାସ ।
ଶଗଡ଼ରେ ବସି ଧାନ କଳେଇରେ
ଖଳାକୁ ଆସିବେ ମାଆ
ସୋରିଷ କ୍ଷେତର ମିଠା ଗୀତ ଏବେ
ଶୁଣିବ ଆମରି ଗାଆଁ ।