ଖଳତନ୍ତ୍ର
ଖଳତନ୍ତ୍ର
ଏକଥା ନୁହେଁ ଯେ ମନ୍ଦକଥା ଆଉ
ପାରିବିନି ବୋଲି ଦେଖି
ପରନ୍ତୁ ଦେଖିଲେ ରାଜ ଦରବାରେ
ହୋଇଯିବି କାଳେ ସାକ୍ଷୀ ,
ଚିତ୍ରଗୁପ୍ତ ମୋର ସବୁକଥା ନେଇ
ପଞ୍ଜିକାରେ ଦେଲେ ଲେଖି
କଥା ସରିଯିବ, ସେଥିପାଇଁ ଏବେ
ଫୁଟାଇ ଦେଲେ ମୋ ଆଖି ।
ମୂକ ପ୍ରାୟେ ମଣି ମୋହ ପ୍ରତି ଆଜି
ସଦୟ ହେଲେ କି ହେବ
ମନ୍ଦକଥା ଯେତେ କହିବିନି ବୋଲି
ଯୋଜନା ଆଗରୁ ଥିବ ,
ତାଙ୍କ ବିରୋଧରେ ସ୍ବର ଉଠେ ଯଦି
କ୍ଷମତାଟି କିଏ ନେବ
ସେଥିପାଇଁ ପରା ଭାବିଚିନ୍ତି ମୋର
କାଟି ନେଇଗଲେ ଜିଭ ।
ବଧିର ଭାବିକି ଅନୁଗ୍ରହ ଏତେ
ଉଚ୍ଚେ କର ଉଚ୍ଚାରଣ
କେବେ କିଛି ମୋର ଅଣ୍ଟିରେ ପୂରାଇ
କିପାଇଁ ହେ ଦିଅ ଦାନ ,
ହାଟରେ ବାଟରେ ପ୍ରଘଟ କରିଲେ
ସହନ୍ତେ କି ସେହି ଜନ
କଉଶଳେ ଦେଖ ନିବୁଜ କରିଲେ
ବିଣ୍ଡା ମାରି ଦୁଇ କାନ ।
ଆଦର୍ଶବାଦର ଭାଷଣବାଜିରେ
ଦେଶ ହେଲା ହୁଲସ୍ତୁଲ
ଚାଟୁକଥା ଶୁଣି ଜନ ସାଧାରଣ
ଭଲକୁ ବୁଝିଲେ ଭେଲ ,
ସମ୍ବିଧାନ ପୀଠ ଯେତେ ଅଛି ଯହିଁ
ଉପାଡି ଦେଲେଣି ମୂଳ
ଭିତରେ ବାହାରେ ଭିନ୍ନ ଭିନ୍ନ ରୂପ
ଯୋଜନାବଦ୍ଧ ଏ ଖେଳ ।
ସ୍ବାର୍ଥବାଦୀଙ୍କର ଲାଭଖୋର ଏହି
ବେଉସା ତ ରାଜନୀତି
ଆଖି ପାଟି କାନ ବନ୍ଦ ଥିବା ଯାଏଁ
ଖଳତନ୍ତ୍ରେ ଯିବେ ଜିତି ।
