STORYMIRROR

Sachidananda Kar

Children

4  

Sachidananda Kar

Children

କହିଲେ ନ ସରେ ଗୁଣ

କହିଲେ ନ ସରେ ଗୁଣ

1 min
385


         ଶାଖା ପତର ତା' ଭାରି ଗହଳିଆ

                  ସୁଶୀତଳ ତା'ର ଛାଇ

         ଥାଏ ସେ ତୋଟାରେ ଥାଆନ୍ତି ତା' ସାଥେ

                  ତା'ର ଯେତେ ଜାତି ଭାଇ ।। 


         ନୁହେଁ ବେଶୀ ଉଚ୍ଚା ନୁହେଁ ବି ସେ ମୋଟା

                  ଦିଶେ ଭାରି ମନଲୋଭା

         ଆସିଲେ ବସନ୍ତ ମନ କିଣେ ତା'ର

                  ଭରା ବଉଳର ଶୋଭା ।। 


         ଗାଈଆଳ ପିଲା ବଜାଏ ବଇଁଶୀ

                  ବସି ତା'ର ଛାଇ ତଳେ

         ଗାଇବାକୁ ଗୀତ ତାହାରି ଡାଳକୁ

                  କୋଇଲିଟା ଆସେ ବଳେ ।। 


         ଫଗୁଣ ଶେଷକୁ ବଉଳରେ ତା'ର

                  ଧରେ ଛୋଟ ଛୋଟ କଷି

         ଗୋଟେଇବା ପାଇଁ ଆସନ୍ତି ପିଲାଏ

                  କାଳେ ପଡ଼ିଥିବ ଖସି ।। 


         ଦୋଳ ବିମାନରେ ଦିଅନ୍ତି ସଜେଇ

                  ନେଇ ସେ କଷିକୁ କେହି

         ପଖାଳ କଂସାରେ ଖାଏ କେହି ଭାଙ୍ଗି

                  ଆହା କି ଆନନ୍ଦ ସେହି ।। 


         ଭାରି ଭଲଲାଗେ ସଜ ପଖାଳକୁ

                 କଷିରେ ଚଟଣୀ ତା'ର

         କଞ୍ଚାରେ ଆଚାର ଦେଲେ ଥରେ ଚାଟି

                 ଯାଏ ଗଡ଼ି ଲାଳ ଧାର ।। 


         ପାଚିଲେ ରସାଳ ଭାରି ସୁଆଦିଆ

                 ଜାଣିଛି ଖାଇଛି ଯିଏ

         ଭାରି ଉପକାରୀ ଗଛଟେ ସେ ବୋଲି

                 ତାକୁ ବା ନ ଜାଣେ କିଏ ।। 


         କରୁଥିବା ନିତି ଯତନ ତାହାର

                 ସୁଝିଦେବ ସିଏ ଋଣ

         ସେବା ତା' ଧରମ ଆମ୍ବଗଛ ସିଏ

                 କହିଲେ ନ ସରେ ଗୁଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children