କହି ଦିଅ.... ଥରେ..
କହି ଦିଅ.... ଥରେ..
କହି ଦିଅ ତ..... ଥରେ.
କାହିଁକି ବାରମ୍ବାର ତୁମ
ନିରୀହ ଆଖି ଦୁଇଟି ଘୂରି ବୁଲନ୍ତି
ମୋ ବନ୍ଦ ଆଖିର ଚାରିପାଖେ....
ଦର୍ପଣ ର ପ୍ରତିବିମ୍ବ ପରି ।
ସେ ଆଖିର ଭାଷା କେବେ
ବୁଝି ହୁଏନା.... ,ପଢିବାକୁ
ଚାହିଁ ବାରମ୍ବାର ...ପ୍ରତିଥର
ଫେରିଆସେ ... ଖାଲି ଖାଲି
ଉଦାସୀ ମନକୁ ବୁଝେଇ ।
ତୁମ ଆଖି ଅବିକଳ ତୁମ ପରି
ଦୁର୍ବୋଧ ସାହିତ୍ୟ, ଜଟିଳ ଭଗ୍ନାଂଶ
କେଉଁଠୁ ଶିଖିଚ ଏମିତି
ନିଜ ଭିତରେ ନିଜକୁ
ସୀମିତ ରଖିବାର କଳା
ଚାରିପଟେ ସୃଷ୍ଟି କରି
ସଂକୁଚିତ ବଳୟ ଟିଏ ।
ସତ କହୁଚି
ମିଛ କୁହୁଡି ର ନଈ
ପହଁରି ପହଁରି ମୁଁ
ବେହାଲ ହୁଅନ୍ତିନି ,
ବିନା ପାଣି ର ମାଛ ପରି
ଛଟ ପଟ ହୋଇ ଥକି ପଡ଼ନ୍ତିନି
ଏମିତି ସାରା ଜୀବନ....
ମୋତେ ବି ତ ଥରେ ଶିଖେଇ ଦିଅ !
ସେହି ସରଳ ସୂତ୍ର ଟା.....
ଡେଣା କଟିଗଲା ପରେ
କେମିତି ଉଡ଼ିହୁଏ
ସୀମା ହୀନ ଏଇ ଆକାଶର
ନୀଳ ଅଗଣାରେ ..

