ଖେଳିବା ଆସ କାଞ୍ଚି ଖୁରୀ
ଖେଳିବା ଆସ କାଞ୍ଚି ଖୁରୀ
ପିଲାଦିନ: କାଞ୍ଚି ଖୁରୀ ଖେଳ ମଜା
ବଡ଼ ମନୋମୁଗ୍ଧକର ;
କେବେ କେବେ ମନେ ପଡ଼ିଥାଏ
କି ତୁମର !
ବୟସ ଯାହା ବି ହେଉ
ଯାଏ ନାହିଁ ଆସେ ନାହିଁ କିଛି,
ଯଦି ଅଛି ସୁଅବସର
ଆଉ ଥରେ ନୂଆ କରି ଅଭୁଲା
ସେ ପିଲାଖେଳ ମନଭରି
ଉପଭୋଗ କର ।
ଟିକି ମୋ ନାତୁଣୀ
ମେଲିଦେଇ କାଞ୍ଚିଖୁରି
ରାନ୍ଧିଦିଏ ଭାତ ତରକାରୀ,
ଟିକି ଟିକି କଣ୍ଢେଇ ତା ଝିଅପୁଅ
ଗେଲକରେ କେତେ ସେ କାଖେଇ,
ପଡ଼ିଗଲେ ଡେଉଁ ଡେଉଁ ତଳେ
ତୁରନ୍ତ ସେ ଫୋନ୍ କରି
ଡାକ୍ତରଙ୍କୁ ଡାକେ,
କରେ ସବୁ ସେବା ଓ ଶୁଶ୍ରୁଷା
ଭଲ ପାଇଁ ଉପଦେଶ ଢାଳେ
ଅବିକଳ ମାଆଟିଏ ପରି ।
ଜାଣେନି ସେ କଳା ଅଭିନୟ,
ତଥାପି ସେ ଦୋହରାଏ
ଅଫୁରନ୍ତ ମମତା ବାତ୍ସଲ୍ୟ ।
ତା ହୃଦୟୁ ଗୁଞ୍ଜେ ପ୍ରତିଧ୍ଵନି
ମଧୁମୟ ସ୍ରଷ୍ଟାଙ୍କ ଇଙ୍ଗିତ ସ୍ପଷ୍ଟ
ଧନ୍ୟ ସେ ଅମୃତର ଧ୍ୱନି ।
ଅନେକ ଅନେକ କଥା
ଅଦୃଶ୍ୟ ହେଲେ ବି ସତ୍ୟ;
ଚିରନ୍ତନୀ ଏ ମମତ୍ୱ ଶକ୍ତି
ହାତ ପାହାନ୍ତିରେ ଜହ୍ନ
ଏତେ ସବୁ ତାରା,
ଉଦବର୍ତ୍ତନ ଉଦବରଣ ଚଳମାନ
ଗୁଢ ଏଇ ଜୀବନ ରହସ୍ୟ ।
ଯଦି ସମୟ ମିଳେ ତ
ଉନ୍ମୁକ୍ତ ରଖ ମନ ନିଜ ବାତାୟନ,
କାନପାତି ଶୁଣ ,ଆମ ଚାରିପଟେ
ମାଟି ପାଣି ପବନର ଅଛି ସତେ
ଭାବଗତ ଆଦାନ ପ୍ରଦାନ,
ନିତ୍ୟ ଶୁଭେ ଗୁଣୁ ଗୁଣୁ ସ୍ୱନ ।
ଆଲୋକର ବିକିରଣ
ଭୂମାଧ୍ୟାକର୍ଷଣ,
ଫଳପୁଷ୍ପ ଆହରଣ ବୃକ୍ଷ ରୁ ପତନ,
ବିଚିତ୍ର ଏ ସଂସାରରେ
କି ମଙ୍ଗଳ ସୁଗନ୍ଧିତ
ସମ୍ବନ୍ଧ ମଧୁ୍ର।
ଅନିତ୍ୟ: ଅନିନ୍ଦ୍ୟ ଅଟେ ସଂସାର
ଏକ ଖେଳଘର,
ନିଚ୍ଛକ ଜୀବନ ଏଠି ବଂଶୀ ସ୍ୱନ
ମଧୁ କୁଞ୍ଜବନ
ଏକା ସାର ତାର ନାମ ଗୁଣ ,
ପାଉଛ ସମୟ ଯଦି
ବସି ଟିକେ ନିରୋଳାରେ
କାଞ୍ଚିଖୁରୀ ଖେଳ ।
-------------------
