କେଉଁଠି ଲୁଚିବ ଯାଇ
କେଉଁଠି ଲୁଚିବ ଯାଇ
"ଜାହା ନ ଦେଖିବ ବେନି ନୟନେ,
ପରତେ ନ ଯିବ ଗୁରୁ ବଚନେ"।
ଆଜି ଯାହା ଦେଖୁଛି ଆଖି
ସେଥିରେ ବିଶ୍ବାସ ନାହିଁ,
ଦେଖା ଜିନିଷଟା ଭେଜାଲ
କାହାକୁ କହିବ ଯାଇ ।
ପ୍ରକୃତିକୁ ବିଷ ପିଆଇ
ଉପୁଜୁଅଛି ଯେ ଖାଦ୍ଯ,
ସେଥିରେବି ରଙ୍ଗ ଗୋଳାଇ
ମନଲୋଭା କରେ ବୈଦ୍ୟ ।
ହର୍ମୋନ୍ ଇଂଜେକ୍ସନ୍ ଦିଅନ୍ତି
ହୃଷ୍ଟପୃଷ୍ଟ ହେବାପାଇଁ,
ପ୍ରତ୍ୟେକ ଖାଦ୍ଯରେ ଲାଗୁଛି
ଯାହା ଦେଖି ହେଉନାହିଁ ।
କଞ୍ଚାକୁ ପାଚିଲା କରୁଛି
ଔଷଧ ସ୍ପ୍ରେ କରିଲେ,
ପ୍ଲାଷ୍ଟିକ୍ ଅଣ୍ଡା ବା ଚାଉଳ
ସହର ବଜାରେ ମିଳେ।
କଳିଯୁଗେ ଯେଉଁ ମଣିଷ
ଆଖିରେ ଦେଖାଯାଉଛି,
ଚିତ୍ରକାରର ଚିତ୍ରପଟ
ପ୍ରତୀୟମାନ ହେଉଛି ।
ମନରେ ଅଲଗା ଭାବନା
କଥାରେ ପକାଏ ସର,
ଦିଶେ ହସ ହସ ବଦନ
ଭିତର ବିଷ ଭଣ୍ଡାର ।
ଆପଣା ବୋଲାଇ ଭିତରେ
ନାହାକା ଚେର କାଟୁଛି,
ବିଶ୍ବାସ ଜତାଇ ମନରେ
ବେକରେ ଛୁରୀ ମାରୁଛି ।
ଜାତି, ଧର୍ମ, ଗୋତ୍ର, ବିବେକ
ଖୋଜିଲେ ନ ମିଳେ କିଛି,
ବୁଦ୍ଧି, ଜ୍ଞାନ, ସମୟ, ପାତ୍ର
ସେସବୁ ହଜି ଯାଉଛି ।
ବଡ ସାନ ମାନ ମହତ
ବିଚାର ମନରେ ନାହିଁ,
ଯାହା ପଶିଗଲା ତୁଣ୍ଡରେ
ତାହା ଦେଉଅଛି କହି ।
ଅସୁବିଧା ବେଳ ପଡିଲେ
ଦେବାଦେବୀ ପୂଜା କରେ,
ଭକତି ନଥାଇ ମନରେ
ଘୂରିବୁଲେ ମନ୍ଦିରରେ ।
ବଞ୍ଚିବା କଠିନ ହେଲାଣି
ସମାଜେ ଚଳିବା ପାଇଁ,
କାଳଚକ୍ରେ ଘୋର ବିପତ୍ତି
କେଉଁଠି ଲୁଚିବ ଯାଇ ।