ଭାବିଲି ପଚାରିବି
ଭାବିଲି ପଚାରିବି
ବହୁ ଦିନ ପରେ ତୁମେ ଦେଖା ଦେଲ
ଭାବିଲି ମୁଁ ପାଖକୁ ଯିବି,
ଚିହ୍ନିନ ପାରିବ ଯେବେ ତୁମେ ମୋତେ
ଚିହ୍ନା ଦେଇ ତୁମକୁ ପଚାରିବି ।
ଭାବି ଭାବି ଯେବେ ମୁଁ ଆଗକୁ ବଢ଼ିଲି
ଭିଡ଼ରେ ତୁମେ ହଜି ଗଲ,
ତଥାପି ଠେଲି ମେଲି ମୁଁ ଆଗେଇ ଗଲି
ତୁମେ ଚଳ ଚଞ୍ଚଳ ହେଲ ।
ପାଖରୁ ଦେଖିଲି ତୁମ ସବୁ ଯାକ ଜକମକୁ
ନୂଆ ନୂଆ ତୁମେ ଲାଗୁଥିଲ,
କଥା କୁହା ଠାଣି କିଛି ଅଲଗା ଥିଲା
ବାଙ୍କ ଚାହାଁଣୀରେ ତୁମେ ଦେଖୁଥିଲ ।
ପଛରେ ଦେହରକ୍ଷୀ, ପାଶେ ଶୁଟ ବୁଟ ଵାଲା
ଚଳୁଥିଲେ ସବୁ ତୁମ ସଙ୍ଗେ,
ରହି ରହି ତୁମେ ପ୍ରଶ୍ନର ଉତ୍ତର ଦେଉଥିଲ
ରଙ୍ଗିଥିଲେ ସବୁ ତୁମ ରଙ୍ଗେ ।
ଏତେ ସବୁ ଦେଖି ମନେ ମନେ ଭାବିଲି
କେମିତି ମୁଁ ଚିହ୍ନା ଦେବି
ଏତେ ଦିନ ପରେ ସବୁ ବଦଳି ଯାଇଛି
କେମିତି ହେଲା ଭାବିଲି ପଚାରିବି ।
ଦେଖିଥିଲି ଯେବେ ଛୋଟ ଥିଲ ତୁମେ ପଢୁଥିଲ
ଏକା ଏକା ତୁମେ ଚାଲୁଥିଲ
କେହି କିଛି ଯେବେ କେବେ କହି ଦେଉଥିଲା
ଲାଜେଇ ତୁମେ କେତେ କାନ୍ଦୁଥିଲ ।
ପିନ୍ଧୁଥିଲ ଶାଢ଼ୀ,ମଥାରୁ ଳମ୍ବୁଥିଲା ଚୁଟିର ବେଣି
ଥିରି ଥିରି ଯାଉଥିଲ ଚାଲି,
ଏବେ ସ୍କଟ ପିନ୍ଧି ତୁମେ କାଟିଛ ବେଣିକୁ
ଏବେ ଚାଲ ପିନ୍ଧି ହାଇହିଲ ।
ଆଗେ ପାଦେ ବୋଳି ଅଳତା ଥିଲା ପାଉଁଜି
ତଳ ମୁହାଁ ଥିଲା ଆଖି,
ଏବେ ଓଠରେ ଲିପିସ୍ଟିକ ଆଖିକୁ ଦେଇଛ ମେଲି
ଲାଗୁଛ ସତେ ବିଦେଶୀ ପକ୍ଷୀ ।
କିନ୍ତୁ ବଦଳିନି ମୁଁ, ଛାଡ଼ିନି ମୋ ସଂସ୍କାର
ବଦଳିନି କିଛି ମୋର ବେଶଭୂଷା,
ହଁ, ଆଗେ ମୋତେ କେତେ ଭିଡ଼ ଘେରୁଥିଲା
ଶୁଣିବାକୁ ମୋ କବିତାର ଭାଷା ।
ଏବେବି ଲେଖୁଛି,ଭାବକୁ ଲେଖନୀ ଜନ୍ମ ଦେଉଛି
କିଛି ଅପ୍ରିୟ ସତ୍ୟ କଥା,
କିନ୍ତୁ ତୁମକୁ ଦେଖି କିଛି ଭରସା ପାଉନି
ଭାବିଲି ପଚାରିବି ନଇଁ ମଥା ।
ମାନୁଛି ମୁଁ ଏବେ ଯୁଗ ବଦଳିଛି ସତ
ମଣିଷ ତ ମଣିଷ ରହିଛି,
ତେବେ କାହିଁ ଭୁଲିଛି ନିଜ ସଂସ୍କାର ପରିଚୟ
ଭାବିଲି ପଚାରିବି ସବୁ କିଛି ।
ଭାବୁ ଭାବୁ ସବୁ କିଛି,ତୁମେ ଚାଲିଗଲ
ହାତ ଟିକେ ହଲାଇ ଦେଇ,
ମନ ମୋର କହିଲା ଉତ୍ତର ତୁମେ ଦେବ
ଭାବିଲି ପଚାରିବି ପାଶେ ଯାଇ ।