ବିଲ ମଝି ଗଛ
ବିଲ ମଝି ଗଛ
କୁନି କୁନି ପାଦ ଦିଟି ଦଉଡୁଥିଲେ ଅବିଶ୍ରାନ୍ତ ମୁନିଆଁ ର ।
ବିଲ ,ବିଲ ପରେ ବିଲ ଡେଇଁ ଯାଉଥିଲେ ।
ପାଦ ତଳ କଥା ପଚାରେ କିଏ !
ରକ୍ତ ଓ ମାଟିର ରଙ୍ଗ ତ ଏକା ।
ତା ' ନିଶ୍ବାସ ସବୁ ପବନ ସହ ତାଳ ଦେଇ ହାରୁଥିଲେ ସିନା ସିଏ ବାଡବାଟ ନ ଚାହିଁ ଦୌଡୁଥିଲା ।
ତାକୁ ବାଟ ସାରା ସେଇ
ଲମ୍ବା, କଳା, ମାଟି ଲଗା ଓହଳିଥିବା
ପାଦ ସବୁ ଦିଶିଯାଉଥିଲେ .....
ତା ସାଙ୍ଗସହି ସବୁଙ୍କ
ଘର ମଣିଷ ର ।
ଦିଶିଯାଉଥିଲା ସାପ ପରି ଲମ୍ବ ଦଉଡି
ଆଉ ବିଲ ମଝିର ଭୁତ ପରି ହାତ ମେଲା ଗଛ ।
ସେଇଟା ଥୁଣ୍ଟା କେମିତି ହେଲା କେଜାଣି ।
ବୁଆ ବି ତ ତାର ଆପଣାର
ଘର ମଣିଷ କଣ ଯେ ! ସିଏ ହି ଘର ।
ଦୌଡୁଥିଲା ମୁନିଆଁ ।
ଆଣ୍ଠୁରେ ଭରା ଦେଇ ଆଣ୍ଠେଇ ପଡିଲା ବେଳେ
ଶୁଭିଲା ତାକୁ ବୁଆର ଡାକ
" କି ରେ ମାଆ ଏ ବିଲ ଆଡେ କିଆଁ ଆଇଲୁ? "
ଈଶ୍ବର ବି କଥା କୁହନ୍ତି ।
ଅପେକ୍ଷା କରନ୍ତି ତୁମ ବାଟ ।
ସିଏ କଣ ଉତ୍ତର ଫେରେଇ ପାରିଲା ଯେ,
ତା ଡର ତାକୁ ଏଠିକି ଅଡେଇ ଆଣିଛି ବୋଲି ।
ବନ୍ଧୁଆମୁଣ୍ଡା କୋଦାଳରେ ମାଟି ହାଣୁଥିଲା
ହିଡ ବାନ୍ଧିବ ପରା ।
ମୌସୁମୀ ଆ.. କା ....ଶ ସାରା ମେଲେଇ ହେଇ
ନୋଇଁଲା ମେଘବୁହା କାମ ସାରି ।
ଏଥର ମୁନିଆଁ ହସିଲା
ପ୍ରଶାନ୍ତି ର ହସ ।
ବିଲମଝି ଗଛ ସାରା କଅଁଳ ପତ୍ର ।
___________________
ଲୋପାମୁଦ୍ରା ପରିଡା
