ପ୍ରାପ୍ୟ ମୋର ଦିଅ
ପ୍ରାପ୍ୟ ମୋର ଦିଅ
ମୁଁ କହୁଛି ବୋଲି
ମନରେ କରୁଛ ରୋଷ
କେବେ ଚାହିଁଛ କି
ନିଜଆଡେ ନିଜେ ଥରେ
ତୁମେ ଉପଭୋଗ
କର ଯାହା ଯାହା ସବୁ
ସବୁଥିରେ ମୋର
ରକ୍ତର ରଙ୍ଗ ଦିଶେ I
ରକ୍ତ ପାଣିକରି
ଗଢିଦେଲି ତୁମ ଘର
ଅୟସ କରୁଛ
ଯେଉଁଠାରେ ଆଜି ତୁମେ
ଯୋଗାଇ ଦେଇଛି
ଖାଦ୍ୟ ମୁଁ ତୁମପାଇଁ
କେବେ କି ଶୁଣିଛ
ମୋ ଭୋକିଲା ପେଟ ସ୍ୱର I
ରଙ୍ଗୀନ ଚଷମା
ପିନ୍ଧିଛ ଆଖିରେ ତୁମେ
ସେଇଥି ପାଇଁକି
ଦୁନିଆ ରଙ୍ଗୀନ ଦିଶେ
କେମିତି ବା ତୁମେ
ଦେଖିବ ମୋ ଦୁଃଖ ଭାର
ଉଦଭ୍ରାନ୍ତ ତୁମେ
ଧନବଳେ ମନେ ମନେ I
ସେଥିପାଇଁ ସିନା
ଦୁଃଖୀ ମୁଁ କାଳେ କାଳେ
ନାହିଁ ଅଭିମାନ
ନାହିଁ କିଛି ରାଗ ରୋଷ
ଅପେକ୍ଷା କରିଛି
ସେଇ ଦିନଟିଏ ପାଇଁ
ଯେଉଁଦିନ ତୁମେ
ବୁଝିବ ମୋ ଶ୍ରମ ମୂଲ I
ସେଇଦିନ ଆଉ
ନାହିଁ ଆଉ ବେଶି ଡେରି
ଅନ୍ଧକାର ରାତି
ଆସିଲାଣି ପାହି ପାହି
ତୁମ ବ୍ୟବହାରେ
ଖୁସି ହେବି ମନେ ମନେ
ଶ୍ରମିକ ମୁଁ ମୋର
ନ୍ୟାୟ ସମ୍ମାନ ପାଇ I