କେତେ ସ୍ୱାଧୀନ ଆମେ ?
କେତେ ସ୍ୱାଧୀନ ଆମେ ?
ସ୍ୱାଧୀନ ବୋଲି ଖୁସିରେ ଆମେ ହାତରେ ଝଣ୍ଡା ଧରି,
ପୁଅ ଓଝିଅ ଏକାଠି ହୋଇ ଆଗକୁ ଯାଉ ମାଡି |
ମନକୁ ଥରେ ପଚାର ନିଜେ କେତେ ସ୍ୱାଧୀନ ଆମେ,
ଉତ୍ତର ପାଇଁ ପଡିବ ନାହିଁ ଯିବାକୁ କେଉଁ ଯାନେ ।
ରାଜସ୍ୱ ପାଇଁ ଗାଆଁ ଗାଆଁ ରେ ଖୋଲିଛି ଏବେ ଭାଟି,
ସ୍ୱାଧୀନ ଯେଣୁ ପିଉଛୁ ଆମେ ତଣ୍ଟି ଯାଏଁ କେ ଚୁଣ୍ଟି ।
ରାସ୍ତା କାମଟା ନସରୁ ଏବେ ରାସ୍ତା ଯାଉଛି ଧୋଇ,
ସ୍ୱାଧୀନ ଯେଣୁ କାହାକୁ ତେଣୁ କହିବାକୁ କେ ନାହିଁ ।
ସରକାରିଆ ବାବୁଙ୍କ ଏବେ ବଢ଼ିଛି ବେଶି ଭାଉ,
ଲାଞ୍ଚ ନଦେଲେ ହେବନି କାମ ସ୍ୱାଧୀନ ଯେଣୁ ସେହୁ ।
ସଭାରେ ଆମେ କରୁଛୁ ଖାଲି ପରିବେଶ ର ଜୟ,
ସ୍ୱାଧୀନ ଯେଣୁ କାଟୁଛୁ ଗଛ ନକରି କାରେ ଭୟ ।
ଝିଅଟେ ବାଟେ ଏକେଲା ଦେଖି କମେଣ୍ଟ ଦେଉ ମାରି,
ସ୍ୱାଧୀନ ଆମେ କହିବ ଯିଏ ଜିଭତା ଦେବୁ ଚିରି ।
ଦେଶରୁ ଲୁଟି କୋଟିକିକୋଟି ବିଦେଶ ଯାଉ ଚାଲି,
ଲାଉଚୋର କି କଖାରୁ ଚୋର ହାଜତ ଯାଏ ଖାଲି ।
କନ୍ୟା ଭ୍ରୁଣ କୁ କରୁଛୁ ହତ୍ୟା ପୁଅ ପାଇବା ପାଇଁ,
ପୁଅଟେ ହେଲେ ସ୍ୱାଧୀନ ସିଏ ଝିଅ ଟେ ଲୋଡା ନାହି ।
ବ୍ୟବସାୟୀଟି ବଢାଏ ଲାଭ ଅପମିଶ୍ରଣ କରି,
ସ୍ୱାଧୀନ ଯେଣୁ ନାହିଁ ତା ଡର ମିଶାଏ ମନ ଭରି ।
ଔଷଧ ଏଠି ଭେଜାଲ ହୁଏ ଜୀବନ ରଖେ ଯିଏ,
ସ୍ୱାଧୀନ ଯେଣୁ ସଭିଏଁ, ତାଙ୍କୁ କହିବ ଅବା କିଏ ?
ଝିଅଟେ ଯଦି ଏକେଲାଦେଖୁ ଆସଇ କୁଭାବନା,
ସ୍ୱାଧୀନ ଆମେ କରିବୁ ଯାହା କରିବ କିଏ ମନା ?
ନିଯୁକ୍ତି ଆଜି ପାଲଟି ଅଛି ଭୋଟ୍ ର ପଶାପାଲି,
ସରଂକ୍ଷଣର ଯଜ୍ଞରେ ଆଜି ମେଧାବୀ ପଡେ ବଳୀ ।
ନିର୍ମାଣ କାର୍ଯ୍ୟ ସରୁ ନସରୁ ଭୁଷୁଡି ଯାଏ ବନ୍ଧ,
ସବୁ ଦେଖି ବି ନିରବ ଆମେ ସତେକି ଗୋଟେ ଅନ୍ଧ ।
ଗାନ୍ଧିନୀତି ଲାଗୁଛି ଏବେ ପୁରାଣ କଥା ପରି,
ସତ୍ୟ, ଅହିଂସା,ଧର୍ମର କଥା ଗଲେଣି ଲୋକେ ଭୁଲି ।
ବାଟଘାଟରେ ଖଣ୍ଡାଭୁଜାଲି ଧରିକି ବୁଲୁ ଆମେ,
ସତରେ ଆମେ କେତେ ସ୍ୱାଧୀନ କହିଲ ଭାବି ତୁମେ ?