କେମିତିକା ଆମେ ସତରେ
କେମିତିକା ଆମେ ସତରେ
ଫୁଲ କେମିତିକା ରୂପରେ ଗୁଣରେ
ଭଅଁର ଜାଣିଛି ବୋଲି ତ
ନିତି ଉଡି ଆସି ତା' ଉପରେ ବସି
କଥା ହୁଏ ମନ ଖୋଲି ତ ।।
ଥିଲେ ଥାଉ ସିଏ ଦୂର ଆକାଶରେ
କଇଁ ଜାଣେ ଜହ୍ନ କେମିତି
ଭଲ ପାଇବାକୁ ଦେଇଥାଏ କଥା
ପାଇଥାଏ ନିଜେ ସେମିତି ।।
ଗଛ କେମିତିକା ପକ୍ଷୀଟି ଜାଣିଛି
ବନ୍ଧୁଟିଏ ସିଏ ତାହାର
ବନ୍ଧୁ ପଣ ତା'ର କହିଲେ ନ ସରେ
ଏମିତି ନ ଥିବ କାହାର ।।
ସୂରୁଯ କେମିତି ଜାଣେ ଊଷା ତେଣୁ
ବସିଥାଏ ବାଟ ଚାହିଁକି
ପାଇଯାଏ ଯାହା ଚାହେଁ ସିଏ ତେଣୁ
ମାଗିବ କାହାକୁ କାହିଁକି ।।
କବି କେମିତିକା ଧନରେ ମନରେ
ଭଲକରି ଜାଣେ କବିତା
ତା' ପାଇଁ ସେଲାଗି ସବୁବେଳେ ଭାରି
ସୁନ୍ଦର ଦିଶଇ ଛବି ତା' ।।
ଆଲୋକ କେମିତି ଜାଣିଛି ଦୀପାଳି
ଥାଏ ତେଣୁ ତାହା ସହିତ
ପୁଲକରେ ତେଣୁ ନାଶେ ଅନ୍ଧକାର
କରେନାହିଁ କା'ର ଅହିତ ।।
ବରଷା କେମିତି ଆଶା, ଭରସାର
ଦୁନିଆ ଜାଣିଛି ତାହାକୁ
ଜୀବକୂଳ ପାଇଁ ଅଜାଡି ଦିଏ ସେ
ଲୋଡା ଥାଏ ଯେତେ ଯାହାକୁ ।।
କେମିତିକା ଆମେ ସତରେ ଯେ କେବେ
ଜାଣିବା ମଣିଷ ଧରମ
ଝଲସି ଉଠିବା ଗୁଣରେ ପଣରେ
କରିଯିବା ହିତ କରମ ।।