କେଇ ମୁହୂର୍ତ୍ତର ଅଭୁଲା ସ୍ମୃତି
କେଇ ମୁହୂର୍ତ୍ତର ଅଭୁଲା ସ୍ମୃତି
ଭାରି ଭଲ ଲାଗେ ଯେତେବେଳେ ଆସେ
ଜ୍ୟୋତ୍ସ୍ନା ବିଧୌତ ଚାନ୍ଦିନୀ ରାତି
ପାସୋରି ନ ହୁଏ ସେଦିନର ସେହି
କେଇ ମୁହୂର୍ତ୍ତର ଅଭୁଲା ସ୍ମୃତି ।
ଲଗାଲଗି ହୋଇ ବସିଥିଲେ ଦୁହେଁ
ଆକାଶେ ସୁବର୍ଣ୍ଣ ଚାନ୍ଦକୁ ଚାହିଁ
ମୁଁ ପରଖୁଥିଲି ତୁମରି ମୁଖକୁ
ଜହ୍ନଠୁ ବି କିଛି କମ୍ ନୁହଁଇ ।
କାନରେ କହିଲି ଦେଖ ଏ ଜହ୍ନକୁ
ତୁମେ ତାହାଠାରୁ ବଳି ସୁନ୍ଦର
ତୁମ ପାଇଁ ସଦା ହୃଦୟରେ ମୋର
ହିଲ୍ଲୋଳିତ ହୁଏ ପ୍ରୀତି ଜୁଆର ।
ତୁମକୁ ନେଇ ମୋ ଆଖିଏ ସପନ
କେଉଁଦିନ କୁହ ସତ ହୋଇବ
ତୁମରି ମଥାରେ ମୋ ନାମ ସିନ୍ଦୂର
ଲାଗି ସୁନ୍ଦରତା ବଢ଼ାଇ ଦେବ ।
ଆହୁରି ପାଖକୁ ଲାଗି ଆସନ୍ତ କି
ପ୍ରେମର ବନ୍ୟାରେ ଯାଆନ୍ତେ ଭିଜି
ଥରିଲା ଓଠରୁ ନସ୍ଫୁରିଲା ବାକ୍ୟ
ସମ୍ମତି ଦେଲ କି ଆଖିକୁ ବୁଜି ।
ଦିନେ ନଦେଖିଲେ ପାରେନାହିଁ ରହି
ଆଜି ଏ ଛୁଆଁରେ କି ସମ୍ମୋହନ
ନିଇତି ଝୁରିବ ମନଟା ତୁମକୁ
ଭାବୁଛି କାଟିବି କେମିତି ଦିନ !
ରାତି ପାହିଗଲା ସପନ ସରିଲା
ଯେ ଯାହାର ବାଟେ ଚାଲି ବି ଗଲେ
ସପନ ଆମର ସତ ବି ହୋଇଲା
ଖୁସିର ସଂସାର ହସୁଛି ଭଲେ ।
ତଥାପି ସେ ସ୍ମୃତି ଆଜି ବି ଅଭୁଲା
ଯେଣୁ ତା' ପ୍ରେମର ପ୍ରଥମ ଛୁଆଁ
କେଇ ମୁହୂର୍ତ୍ତର ଅନୁଭବ ମଧ୍ୟ
ଭୁଲାଇଥିଲା କି ମୋତେ ଦୁନିଆ !

