କେବଳ ଦୁଇ ପଦ
କେବଳ ଦୁଇ ପଦ
ଦୁଇ ପଦ ବାର୍ତ୍ତା
ବଦଳାଇ ଦେଲା ମୋର ମନ,
କ୍ଷଣିକରେ ନଷ୍ଟ ହୋଇଗଲା
ଦେଖିଥିବା ଅନେକ ସପନ ।
ଆପଣାର ଲୋକ ଦେଖି
ଲାଗିଲା ବି ଡର,
କଅଣ ବା ମୁଁ କରି ପାରିବି
କଥା ନୁହେଁ ହାତ ପାଆନ୍ତର ।
ସତେ ଯେମିତି ମୁଁ
ହଜିଯାଇଛି ଅଜଣା ବିଶ୍ୱରେ,
ଅସ୍ତିତ୍ବ ମୋ ନାହିଁ କିଛି
ବିନା ମାଧ୍ୟାକର୍ଷଣ ରେ ।
ଠିକଣା ପାଉନି ଆଉ
ଘୁରୁଅଛି ଅବିରତ ,
ଦେଖୁଅଛି ନୀରବରେ
ଧ୍ବଂସର ସଙ୍କେତ ।
କେତେ ଭୟଙ୍କର ସତେ
ଲେଖା ଦୁଇ ଧାଡି ,
ତରବାରି ଧାର ସତେ
ଛାତି ଦିଏ ଫାଡ଼ି ।
ପରମାଣୁ ବୋମା ଠାରୁ
ଅତି ଭୟଙ୍କର,
ଆଘାତରେ ନଷ୍ଟ କରିଦେଲା
ମୋ ସୁନା ସଂସାର ।
ବଞ୍ଚିବାର ଢଙ୍ଗ ବଦଳିଲା
ପୁଣି ସ୍ବପ୍ନ ଦେଖିବାର ଢଙ୍ଗ,
ବାର୍ତ୍ତାଟିକୁ ପଢି ଦେଲାପରେ
ସତେ ମୋର ମୋହ ହେଲା ଭଙ୍ଗ ।
ସମୟ ବି ଶିଖାଇ ଦେଇଛି
ସବୁ ଚାଲିଯିବ,
କେବଳ ଅକ୍ଷତ ଦାଗଟେ ହୋଇ
ଛାତି ତଳେ ଥିବ ।
