କେବେ ଯିବ ଏ କରୋନା
କେବେ ଯିବ ଏ କରୋନା
ତୁମ ପାଇଁ ଆଜି ଆଖିରେ ସପନ
ତୁମ ପାଇଁ ଓଠେ ହସ
ତୁମ ପାଇଁ ଭୂଲେ ଦୁଃଖ କଷ୍ଟ ଯେତେ
ତୁମ ପାଇଁ ଲିଭେ ତ୍ରାସ ।
ତୁମ ପାଇଁ ତୋଳେ ମନର ମନ୍ଦିରେ
ସୁନ୍ଦର ଅଳକା ପୁରୀ
ତୁମ ପାଇଁ ସ୍ଵପ୍ନ ସଫଳ ହୋଇଛି
ତୁମେ ବନ୍ଧୁ ସଖା ପରି ।
ତୁମେ ତ ଗଢିଲ ଶରଧାରେ ମୋତେ
ସାତ ରଙ୍ଗେ ରଙ୍ଗି ଦେଇ
ତୁମରି ସେନେହେ ଉଡ଼ି ବୁଲେ ନିତି
ପ୍ରଜାପତି ମନ ନେଇ ।
ତୁମେ ଆଣି ଦେଲ ମଳୟ ବସନ୍ତେ
ଚଇତି ଅବିର ବାସ
ଲକ୍ଷେ ଫଗୁଣକୁ କାନିରେ ବାନ୍ଧିଲ
ଲିଭାଇ ମନର ଶୋଷ ।
ତୁମକୁ ଚାହିଁ ମୁଁ ବିତାଇଛି ରାତି
ଆଖିର ପାଣିକୁ ମାରି
ତୁମ ପାଇଁ ଆଜି ଅଭିସାରିକା ମୁଁ
ପଡ଼ି ଥାଏ ମନ ମାରି ।
ତୁମ ପଥ ଚାହିଁ ଦିନ ବିତାଉଛି
କେବେ ଯେ ଆସିବ ତୁମେ
କୁଶଳୀ କରୋନା ପ୍ରାଚୀର ଗଢିଛି
ଅଶରୀର ପରିଭ୍ରମେ ।
ତୁମରି ପତ୍ରକୁ ଆଶା ନେତ୍ର ପାରି
ବସି ଅଛି ଦୁଇ ଆଖି
ଯେହ୍ନେ ସଂଧ୍ୟା ରାଣୀ ମଉଳି ପଡ଼ିଛି
ଅରବିନ୍ଦ ରଶ୍ମି ଦେଖି ।
ତୁମେ ଯେ ମାନସେ ଭଉଁରି ଖେଳୁଛ
ପାରେନା ଚିତ୍କାର କରି
ତୁଣ୍ଡେ ତୁଣ୍ଡି ବାନ୍ଧି କହି ପାରି ନାହିଁ
ହୃଦୟ ଯାଏ ମୋ ଚିରି ।
ତୁମରି ଦୂରତା ମାପି ଚାଲି ଥାଏ
ସହସ୍ର ଯୋଜନ ଯାଏ
ଅମାନିଆ ମନ କାହିଁକି ବୁଝିବ
ଚକୋର ପରାୟେ ଚାହେଁ ।
ତୁମକୁ ନେଇ ମୋ ଜୀବନ ସଂଘର୍ଷ
କେବେ ହାରେ କେବେ ଜିତେ
କରୋନାଟା ଆଜି ଶିଖାଇ ଦେଇଛି
କେହି ନାହିଁ କାହା ହିତେ ।