କେବେ ଆସ
କେବେ ଆସ
ସ୍ବର୍ଣ୍ଣିମ ଆଭା ମଧ୍ୟରୁ ବାହାରୁଥିବା
ମୁଞ୍ଜରିତ କେଶ ଯୁକ୍ତ ଭବତାରିଣୀ ଚେହେରା
ବାସ୍ତବର ବ୍ୟସ୍ତମୟ ଜୀବନରେ ଅନ୍ତର୍ଦ୍ଧାନ ହୁଏ।
ସ୍ବପ୍ନ ଚୁର୍ଣ୍ଣିଭୁତ ହେବାର ଦାମିନୀ ଆଘାତ
ଅସହାୟ କରି ଧରାଶାୟୀ କରିଦିଏ।
ନଗ୍ନିକାର ଭାବ ଧରି ବଞ୍ଚିଥିବା ଏ ସ୍ୱପ୍ନିଳ ମନ
ତୁମ ରୋଷେଇଘର ଶବ୍ଦ ଭିତରେ ଉଭେଇ ଯାଏ।
ମୋତି ଭଳି ଝଲସୁଥିବା ଭାବନା ପୁଙ୍ଗ
ମଳିନ ପଡ଼ିଯାଏ, ତୁମ ଠାକୁର ଘର ଫୁଲ ସଜାରେ।
ତୁମ କର୍ମମୟ ଜୀବନର କାର୍ଯ୍ୟ ସମ୍ପାଦନାରେ
ମନ ବିଷ୍କିର ନଭ ଛାଡି ଧରା ସ୍ପର୍ଶ କରେ।
ସେତେବେଳେ ନୀରବରେ ଭାବିବସେ ଆମ ଅତୀତ
ଦୀର୍ଘ ଫାକସି ସହ ବାରମ୍ବାର ବନ୍ଧୁତା କରି
ମନେ ମନେ କୁହେ
ଏସବୁ ଅନୁଭବ ପାଇଁ ଅବର୍ତମାନକୁ ଅପେକ୍ଷା କରନାହିଁ
ଅନ୍ୱେଷଣ କରେ ବୈଶାଦୃଶ୍ୟର କାରଣ
ନିଜର ଏ ବ୍ୟସ୍ତତାରୁ ବାହାରି
କେବେ ଆସି ଏ ହୃଦୟକୁ ପୁଣି ପଢିବାକୁ ସମୟ ଦିଅ
ଜନ୍ମ ଜନ୍ମାନ୍ତର ଆବେଗ, ଅନେକ ଯୁଗର ଭଲପାଇବା
ଆଉ କିଛି ଦୁର୍ଲ୍ଲଭ ଅନୁଭୂତିକୁ ଅନୁଭବ କର।
କିଛି ମୁହୂର୍ତ୍ତ ପାଇଁ ହେଉ ପଛେ
ଦୈନ୍ୟଦିନ କର୍ମ ଛାଡି, ସ୍ୱପ୍ନକୁ ସାଉଁଟିବାକୁ ଚେଷ୍ଟାକର
ଆବେଗ ଭରା ହାତରେ ମୋ ହାତକୁ ଧରି
ଲମ୍ବା ରାସ୍ତା ଚାଲିବାର ଅନୁଭୂତି କୁ ତୋଳିନିଅ
ଆଉ, ଈଶ୍ୱରଦତ୍ତ ଏ ପ୍ରୀତି ବନ୍ଧନକୁ
ଶ୍ରଦ୍ଧାରେ ପ୍ରାଣମ କରି, ଭାବନାକୁ ନିହାଲ କରି
ପୁଣି ଫେରିଯାଅ, ନିଜ ରୋଷେଇ ଘର
ଅଫିସ ଆଉ ଠାକୁର ଘର ଫୁଲ ସଜ୍ଜା ପାଖକୁ।