ଫିକା ସଞ୍ଜ
ଫିକା ସଞ୍ଜ
ସନ୍ଧ୍ୟା ତାରା ସଭା ପାଇଁ ସାଉଁଟି ସରବ
ପ୍ରସ୍ତୁତ ବଢାଇବାକୁ ଆକାଶ ଗରବ
ମଝି ଦାଣ୍ଡେ ରହି ଘଣ୍ଟ ବଜାଏ ଟହଲ
ଗାଁ ମୁଣ୍ଡ ଚାନ୍ଦିନୀରେ ମକଦ୍ଦମା ଚାଲ।
ସଞ୍ଜ ଝାଢେ ରଞ୍ଜାବତୀ ପିଞ୍ଜରା ପ୍ରସାରି
ପାର ହୁଏ ରବି ଶଶୀ ଦୁଃଖ ଯାଏ ସରି
ନୀଳ ଚିଲିକାର ନାଳ ଭରି ଉଠେ ରଙ୍ଗେ
ନାରୀ ଶାଢୀ ଓଢଣୀର ବିଛୁରିତ ଭଙ୍ଗେ।
ବୃଦ୍ଧି ହୁଏ ରତ୍ନାକର ଗର୍ଜନ ଭୀଷଣ
ଭାସି ଆସେ ସୁଗନ୍ଧିର ପ୍ରଥମ ଚରଣ
ମଝିରେ ମାରୁଛି ହାଇ ମନକୁ ମଉଳି
ବିଚଳିତ ହୃଦୟର ଭାରାକୁ ସମ୍ଭାଳି।
ନୀଳ ଜଳେ ନୀଳ ଜାଲ ଖନ୍ଦା ଧାଡ଼ିଧାଡି
ଧଳା ଗୋହରୀର କଳା ବଲହା କିଳା ଭାଡ଼ି
ଟୁପୁ ଟାପ କଥା ସହ ମାଛ ଆଖି ଠାର
ଶୁଭୁଥାଏ ସବୁ କିଛି ଜଳ ଅଗଭୀର।
ବିହଙ୍ଗମ ବହୁଡାଣି ବାହୁ ଝଡ଼ା ଦୃଶ୍ୟ
ହୃଦଭରା ସ୍ମିତହାସ୍ୟ ଅଣନ୍ତା ଅବଶ୍ୟ
କବିତା ଝରନ୍ତା ମେଘୁ ହୋଇ ପୂର୍ଣ୍ଣ ତୋଷ
ତୁମେ ନାହଁ ବୋଲି ଫିକା ଲାଗେ ଏଇ ଦୃଶ୍ୟ।
କୂଦାମାଳ ମିଠାକୋଳି କାଇଁଚର ଲଇ
ପଚାରନ୍ତି କ୍ଷୀଣ କଣ୍ଠେ ସିଏ ତୋର କାହିଁ
ସ୍ମରଣେ ନୟନୁ ଅଶ୍ରୁ ଝରେ ଖୁସି ପାଇ
ପ୍ରକୃତି ଶୋଭା କି ଦେବ ଏତେ ଖୁସି କାହିଁ।