କବିତା ନୀତିବାଣୀ -୬
କବିତା ନୀତିବାଣୀ -୬
ସମୁଦ୍ର କହିଲା ଝରଣାକୁ ଚାହିଁ
କାହିଁକି ରହିଛୁ ଛୋଟ ହୋଇ ?
ଉଚ୍ଚ କଲେ ତୁହି ନିଜର ଭାବନା
ମୋ ପରି ପାରିବୁ ହୋଇ ।
ଟିକି ଝରଣାଟି ବିନୟେ କହିଲା
ଲୋଡାନହିଁ ମୋ ରାଜେନ୍ଦ୍ର ସିଂହାସନ ,
ତୋପରି ଏତେ ବିଶାଳ ସମୁଦ୍ର ହେବାକୁ
ନାହିଁ ତିଳେ ମୋର ମନ।
ବିଶାଳ ହୃଦୟ ଥିଲେ କଣ ହେବ
ତୋର ଅଟେ ଯେ ଲୁଣିଆଁ ପାଣି,
ସେଥିପାଇଁ ମୋର ମନ ବଳୁନାହିଁ
ତୋ ପରି ହେବାକୁ ଏ ସବୁକୁ ମୁହିଁ ଜାଣି ।
ଯେତେ ବଡ଼ ହେଲେ ଜଣ ହେବ ଯେବେ
ତୃଷାର୍ତ୍ତର ଶୋଷ କି ତୁ ପାରିବୁ ମେଣ୍ଟାଇ ?
ମଣିଷ କି କେବେ ଆତ୍ମ ସନ୍ତୋଷ ଲଭିବ
ତୋର ସେ ଲୁଣିଆଁ ପାଣିକୁ ପିଇ?
ଛୋଟ ହେଲେ ମଧ୍ୟ ମୋର ଦାନ ଯେ ମହତ
ଲଭିଅଛି ମୁହିଁ ପୁଣ୍ୟଫଳ,
ସାରା ଜଗତର ପ୍ରାଣୀଙ୍କ ମନ ଯେ ତୋଷୁଛି
ଦେଇ ମୋର ମିଠାଜଳ।
ସମୁଦ୍ର ସମ ହୋଇ ହେଲେଟି ବିଶାଳ
ଲୁଣିଆଁ ହେବ ଯଦି ତାର ନୀର
ପର ହିତରେ ନ ଲାଗିଲେ ସେହି ନୀର ଯେବେ
ବରଂ ଛୋଟ ହେବା ପଛେ ଶ୍ରେୟଷ୍କର ।
ଉଚ୍ଚ ପଦ, ମାନ ସମ୍ମାନରେ ବଡ଼ ହୋଇ
କଣ ବା ଲାଭ ଯେ ମିଳିବ?
ଛୋଟ ହୋଇ ମଧ୍ୟ ପର ହିତେ ସେବା କଲେ
ଜୀବନ ଯେ ସାର୍ଥକ ହେବ ।
