କବାଟ ଫାଙ୍କରେ ନୂଆ ଦୁନିଆ
କବାଟ ଫାଙ୍କରେ ନୂଆ ଦୁନିଆ
କବାଟ ଫାଙ୍କରେ ନୂଆ ଦୁନିଆଟା
ଡାକୁ ଥିଲା ହାତ ଠାରି
ମଳୟ ସମୀରେ ବସନ୍ତର ରାଗ
ଫୁଲରୁ ପଡୁଥିଲା ଝରି ।
ଅଳି ବୁଲୁଥିଲା ପୁଷ୍ପ ବିଥୀପରେ
ଟିକିଏ ଚୁମ୍ବନ ପାଇଁ
ମଳୟ ସମୀରେ ସୁମନ ଟା ପୁଣି
ଝୁଲୁଥିଲା ସାଇଁ ସାଇଁ ।
ମନରେ ଯାଗିଲା ପ୍ରଣୟ ଲହରୀ
ବସନ୍ତ ଶୋଭା ନିରେଖି
ଭାବିଲି ଲେଖିବି କବିତା ପୃଷ୍ଠାଏ
ପ୍ରିୟାକୁ ଦେବି ମୋ ଭେଟି।
ଆଦ୍ୟ ବସନ୍ତର ପ୍ରଥମ ପାହାଚେ
ପବନ ଭାଙ୍ଗୁଛି ଢେଉ
ଶୀତ ଟା କହୁଛି ହଜିନି ତା ' ସତା
ଧରା ଛାଡି ଯାଉ ଯାଉ ।
ଗୋଲାପ ଆଖିରେ ଅଶରା ସପନ
ଶେଫାଳୀ ଆଖିରେ ଲୁହ
ଆସିବା ଯିବା ଏ ଦୁନିଆର ଗତି
ତଥାପି ଛାଡୁନି ମୋହ ।
କବାଟ ଫାଙ୍କର ନୂଆ ଦୁନିଆ ଟା
ସତେ ବଡ ମନୋରମ
ସୁନ୍ଦର ପୃଥିବୀ ସୁନ୍ଦର ଆକାଶ
ଆଉ ମଧୁପର ଫୁଲ ପ୍ରେମ।