କାଶଫୁଲର ଗାଁ
କାଶଫୁଲର ଗାଁ
ନିର୍ମଳ ଶରତ ଆରମ୍ଭ ହେଉଣୁ
କାଶତଣ୍ଡୀ ଫୁଟି ଯାଏ ।
ଧବଳ ରଙ୍ଗର ଫୁଲ ଓଢ଼ଣୀରେ
ନଈପଠା ହସୁଥାଏ ।
ଫୁଲେଇ ନଈର ନୀଳ ନୀଳ ପାଣି
କଳ କଳ ବହୁଥାଏ ।
ପାହାଡ଼ ସେପାଖେ ରୂପାଥାଳିଜହ୍ନ
ଧିରେଧିରେ ଉଠୁଥାଏ ।
ଆକାଶ ପୃଥିବୀ ସତେକି ଯେମିତି
ଏକାକାର ହୋଇ ଯାଏ ।
ଦଣ୍ଡା ମୁଣ୍ଡ ପଟୁ କାଳିଆ କସରା
ଗାଈ ଗୋଠ ଫେରୁ ଥାଏ ।
ନଡାଛପରର ଚାଳ ଚିରି ଯହିଁ
ଧୁଆଁଁ ଉପରକୁ ଯାଏ ।
କଖାରୁ ଫୁଲର ପସରା ସଜେଇ
ପିଢା ପିଣ୍ଢା ଦୁଲୁକାଏ ।
ନଈକୂଳ ଆଡୁ ଥଣ୍ଡା ପବନଟା
ସାଇଁ ସାଇଁ ବହୁଥାଏ ।
ମନ୍ଦିରର ଘଣ୍ଟ, ଘଣ୍ଟା, ଆଳତୀର
ମିଠା ସୁର ବାଜୁଥାଏ ।
ରାତିର ସାଥୀ ସେ ଝିଙ୍କାରୀର ଗିତି
ଟିଁ ଟିଁ ଶୁଭୁଥାଏ ।
ସୂରୁଜ କିରଣ ସକାଳୁ ସକାଳୁ
ସୁନାରେଣୁ ବୁଣୁଥାଏ ।
ଏତେ ଅପରୂପ ଶୋଭାରେ ଶୋଭିତ
ହୋଇଛି ଆମରି ଗାଁ ।
ନୂଆ ନାମ ଟିଏ ଦେଲି ଆଯିଠାରୁ
"କାଶଫୁଲ" ତାର ନାଁ।
