STORYMIRROR

Puspanjali Panda

Classics

4  

Puspanjali Panda

Classics

ଝର୍କା ସେପାଖେ ବର୍ଷା

ଝର୍କା ସେପାଖେ ବର୍ଷା

1 min
28


ଏବେ ଏବେ ଝର୍କା ସେପାଖେ

ଟପ୍ ଟପ୍ ,ଝର ଝର, ସୁଧରେ

ଗୀତ ଗାଉଛି ବର୍ଷା

ମହ ମହ ମାଟି ର ବାସ୍ନା ରେ

ମହକି ଯାଉଛି ମନ

ଝର୍କା ସେପାଖ କୁ

ଦୌଡ଼ି ଯାଉଛି ପିଲାଦିନ।।


ଶୈଶବରୁ ଏଯାବତ

ଅସଂସାର ରୁ ସଂସାର ପର୍ଯ୍ୟନ୍ତ ,

ଅନେକ ବର୍ଷ 

ଅନେକ ବର୍ଷା

ଆକାଶରୁ ଅବା ଆଖିରୁ

ନିଗିଡ଼ି ପଡେ ଏକା ପରି

ବାଟ ଅବାଟ ଭର୍ତ୍ତି କରି।

ଧିରେ ଧିରେ ରୁ ଜୋର ଜୋର ହେଉଛି ବର୍ଷା।

କେବେ ସୁର ତାଳର ଶବ୍ବ ଧିମେଇ ଯାଉଛି।

ପୁଣି କେବେ ତୀବ୍ର ଲୟରେ

ସର୍ଗମ ଗାଉଛି ବର୍ଷା।।


ଅଦିନିଆ ରେ ଓଦା ହେଉଛି ସବୁ।

ମାଟି ଗାତ ଭିତରୁ ବାହାରିପଡ଼ୁଛି

ପିଲାବେଳୁ ବଦଳି ନଥିବା

ବର୍ଷା ପରେ 

ଧାଡ଼ି ରେ ଉଡୁଥିବା 

ଝଡି ପଡୁଥିବା ଝରିପୋକର 

ଡେଣା ସବୁ ।।


ଝର୍କା ସେମିତି ଖୋଲାଅଛି।

ରାସ୍ତାରେ କେହି କେହି ଗଲାବେଳେ

ଛତା ନଧରି

ଭିଜିବାର ମଜାରେ

ଦୌଡ଼ୁଛନ୍ତି , ବର୍ଷା କୁ ଛୁଇଁ 

ଦେହ ଦାହ ପ୍ରଶମିତ ପାଇଁ 

ଭିଜା ତନୁମନ ନେଇ।।

ସଫାସୁତୁରା ହୋଇ ଗାଧୋଇ ପଡିଛି

ଝର୍କା ସାମ୍ନା ରାସ୍ତା ଆଉ ତା 

ଆଖପାଖ ..!!!

ଧୋଇ ଦେଇଛି ତା'ର ପ୍ରତି ଧୁଳିକଣା

ସ୍ୱଛତାର ପ୍ରତିଶ୍ରୁତି ଦେଇ

ଗଡି ଚାଲିଛି 

ଦୁଇପଟେ ପାଣି ଧାର।।


ଫେରିବାର ବାଟ ବନ୍ଦ

ତଥାପି ପିଲାଦିନ ଫେରିବାକୁ ଚାହୁଁଥିଲା

ଭିଜି ବାକୁ କହୁଥିଲା 

ଝର୍କା ଫାଙ୍କରୁ

ଡେଇଁ ପଡ଼ିବାକୁ ଇଛା କରୁଥିଲା

ମୋ ଭିତରର କେହିଜଣେ।

ଆଖି ଦେଖୁ ଥିଲା ଝର୍କା ସେପଟ ବର୍ଷା ।

ଦଲକାଏ ବର୍ଷା ଛିଟା 

ପଶି ଆସିଲା ଭିତରକୁ 

ଇଛା ଥିଲା ଆହୁରି ଭିଜି ବାକୁ 

ବର୍ଷା କୁ କହିବାକୁ 

ଆ ବର୍ଷା ଆ ଭିଜେଇଦେଇ ଯା 

ଝର୍କା ଡେଇଁ ସ୍ପନ୍ଦନର ସାତସ୍ବର ନେଇ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics