କାଳବୈଶାଖୀ
କାଳବୈଶାଖୀ
ଆକାଶରୁ ନିଆଁ ବରଷା ହେଉଛି
ନିଆଁ ଝୁଲେ ଜଳୁଛି ଏ ପୃଥିବୀ
ସବୁଜ ଧାରା ଯେ ବିବର୍ଣ୍ଣ ହେଲାଣି
ନିଜଘର ନିଆଁ ନ ହୁଏ ସହି ।
ଫଗୁଣର ରଙ୍ଗ ଲିଭି ଯାଇ ଅଛି
କୃଷ୍ଣ ଚୁଡା ଆଉ ହେଉନି ସଜ
ହଠାତ୍ ବିଜୁଳୀ ରୋଷଣୀ ଜାଳିଲା
କାଳ ବୈଶାଖୀ ର ତାଣ୍ଡବ ସାଜ ।
ଧୂଳି ମାନେ ସବୁ ନାଚ଼ କରିଲେଣି
ଭୂମିରୁ ଆକାଶେ ଉଠଇ ଧୂମା
ପଥ ପ୍ରାନ୍ତ ସବୁ ଅସ୍ତବ୍ୟସ୍ତ ହୁଏ
ରୋଷଣୀ ଆଣିଛି ବିପଦ ସମା ।
କାଳ ବୈଶାଖୀ ଯେ ମାତିଛି ନିଶାରେ
ଭବିଷ୍ୟତ ଏଠି ପଥ ହୁଡୁଛି
ବୃକ୍ଷ ଗହଳ ର କିଚ଼ରି ମିଚିରି
ପଥ ପ୍ରାନ୍ତେ ଶାନ୍ତ ହୋଇ ଯାଇଛି ।
ଏ କାଳ ବୈଶାଖୀ ଆସିଲା ସଦର୍ପେ
ଭାଙ୍ଗି ଦେଇଗଲା ଖୁସୀ ର ନୀଡ
ନିଦାରୁଣ କାଳ ବୈଶାଖୀ ପ୍ରକୋପେ
ଭାଙ୍ଗି ଗଲା ସବୁ ଆଶା ର ବାଡ଼ ।
କାଳବୈଶାଖୀ ର ରଣ ହୁଙ୍କାରରେ
ଶାନ୍ତ ହୋଇଗଲା ସପନ ଗୀତ
ନିଦାରୁଣ ହୋଇ ଦାରୁଣ ଦୁଃଖରେ
ଉଡାଇ ନେଲା ସେ ନଡାର ଛାତ ।
ଗରିବ ଆଖିର ଲୁହରେ ଭିଜିଲା
ଲଙ୍ଗଳା ଛାତର ଛୋଟ କୁଡିଆ
ବିବର୍ଣ୍ଣ ପୃଥିବୀ ଅସଜଡା କରି
କାଳ ବୈଶାଖୀର ମୁହଁ ଫେରିଲା |
ଋତୁ ଚକ୍ର ଆଜି ଆସୁନି ସମୟେ
ସୀମା ରେଖା ଉଲଂଘନ କରୁଛି
କାରଣ ହୋଇଛୁ ଆମେ ଏ ମଣିଷ
ମଣିଷ ତ ଅତ୍ୟାଚାର କରୁଛି ।
ଆମ ଅତ୍ୟାଚାରେ ପ୍ରକୃତି ରେ ଆଜି
ପ୍ରଣବର ଧ୍ବନୀ ଶୁଣା ଯାଉଛି
ଏ ରଣ ହୁଙ୍କାର ଥମାଇବା ପାଇଁ
ଶଙ୍ଖ ଧ୍ବନୀ ଆବଶ୍ୟକ ହେଉଛି ।
ସଚେତନ ହୁଅ ହେ ମାନବ ଜାତି
ସବୁଜ ସଂଗ୍ରାମେ ହୁଅ ହେ ବ୍ରତୀ
ଛୋଟ ପଦକ୍ଷେପେ ଏକ ଜୁଟ ହୋଇ
ପୃଥିବୀ କରିବା ତାତିରୁ ମୁକ୍ତି ।