କାଳ ବୈଶାଖୀ
କାଳ ବୈଶାଖୀ
ଛାତିରେ ଅସହ୍ଯ ତାତି ଘୂରେ ମଥା ଚକ୍ରବାତୀ
ରଚଇ ଖଣ୍ଡ ପ୍ରଳୟ ମୁଁ କାଳବୈଶାଖୀ
ନିମିଷେ କରେ ଉଚ୍ଛନ୍ନ ହଜାଏ ନିଦ ସପନ
ଉଜ୍ଜ୍ବଳ ଆଖିଟି ମୋର କରେ ଚିକିମିକି ।
ହୋଇ ଲଘୁ ଚାପଗ୍ରସ୍ତ ପ୍ରସରି ହୁଏ ଉତ୍ତପ୍ତ
ସଞ୍ଚରେ କ୍ରମଶଃ ଉର୍ଦ୍ଧ୍ବେ ହେବାକୁ ଶୀତଳ
ଭାରି ସୁଶୀତଳ କଣ ଶୂନ୍ଯ ସ୍ଥାନ କରେ ପୂର୍ଣ୍ଣ
ସୃଷ୍ଟି ହୁଏ ଘୂର୍ଣ୍ଣି ଝଡ ବରଷଇ ଜଳ ।
ପ୍ରକୃତି ହେଉ ଜୀବନ ଚାଲୁଅଛି ରାତ୍ର ଦିନ
ଦୁଃଖ ସୁଖ ଭଲ ମନ୍ଦ ମଧ୍ଯରେ ସଂଗ୍ରାମ
ଭଙ୍ଗାଗଢା ଦୁନିଆରେ କିଏ ଜିତେ କିଏ ହାରେ
ଲକ୍ଷ୍ଯ ଯାର ଅବିଚଳ ବୁଝେ ସାର ମର୍ମ ।
ରହି ସଦା ସ୍ଥିତପ୍ରଜ୍ଞ କର ଯୁଦ୍ଧ ଅବିରାମ
ଅଭିରଚ କାଳଜୟୀ ସ୍ବାକ୍ଷର ସ୍ବର୍ଣିମ
ପୋଛିଦେଇ ପାପଭାର କଳଙ୍କର କଳାଦାଗ
ସଂସ୍ଥାପନ କର ସତ୍ଯ ଉଦ୍ଭବ ନୂତନ ।