କାହିଁକି ମାଗନି ମତେ
କାହିଁକି ମାଗନି ମତେ
ଯାହା ଦେଇ ପାରିଲେ ସବୁଠୁଁ ବେଶି ଖୁସି ହୁଅନ୍ତି ମୁଁ
ତମେ କଣ ତା' ମାଗିପାରିବ ?
ତମେ କ'ଣ ଆକାଶର ବିଶାଳତା ବୁଝିଛ ଯେ
ଆଖିର ସୀମାରେ ତା'କୁ ମାପି ପାରିବ ?
ଯେବେ ବି ମାଗିଛ
ଖାଲି ଦେଖି ହେଉଥିବା ରଙ୍ଗ
ଆଉ ଶୁଣି ହେଉ ଥିବା ଶବ୍ଦ କିଛି ମାଗିଛ
କେବେ କେବେ ଅତି ବେଶିରେ ମାଗିଛ ବି
ପୃଥିବୀରୁ ଟିପେ ଆଉ ଜୀବନରୁ ଧାପେ
ନ ହେଲେ ଦେହ ଆଉ ଦାସତ୍ୱରୁ ଟିକେ
ସେତିକିରେ କଣ ତମ କାମନା ଶେଷହୁଏ
ଜିଇଁଥିଲା ଯାକେ ?
ମତେ ଦୁଃଖ ଲାଗେ ଯେତେବେଳେ ଦେଖେ
ତମେ ଘୋଡେଇ ହେଇଛ ସୂତାକର କାମନାକୁ କମ୍ବଳ ପରି
ତା' ଭିତରେ ପୁଣି ଏତେ ଛଟପଟ
ଯାହାକୁ ପୂରଣ କରିବାକୁ
ବାଧ୍ୟ ହୋଇ ମୁଁ ନିଜେ ନିଜ ଭିତରେ ହେଉଥାଏ ଛୋଟ
ସହୁଥାଏ ଛୋଟ ହୋଇ ଯିବାର କଷ୍ଟ ॥
ତମେ
କାହିଁକି ମାଗନି ମତେ
ମୋର ମୃତ୍ୟୁଞ୍ଜୟୀ ବିପୁଳ ଆକାଶକୁ?
କାହିଁକି ମାଗନି ମତେ
ମୋର ସାରା ସମୟକୁ,
ମୋର ସାରା ସାମ୍ରାଜ୍ୟକୁ
କିମ୍ବା
କାହିଁକି ମାଗନି ମତେ
ଥରେ ହେଉ ପଛେ ମୋ ଠାରୁ ମତେ ନେଇ
ତମ ଭିତରେ ସାଇତିଦେବାକୁ ?