କାହିଁ ପ୍ରଜାପତି ମନ
କାହିଁ ପ୍ରଜାପତି ମନ
ଉଡିବାକୁ ଭାରି ମନ ହୁଏ
ପ୍ରଜାପତି ପରି ଏ ଫୁଲରୁ ସେ ଫୁଲକୁ
ଜୀବନର ଗୀତ ଗୁଣୁ ଗୁଣୁ ଗାଇ
ରଙ୍ଗିନ ସୁନେଲି ଡେଣାକୁ ଦେଇ ଝାଡି ।
ବଗିଚାରେ ଆଉ ଫୁଟୁନି କାହିଁ
ନାନା ରଙ୍ଗର ଫୁଲ କଢି
ଚଢେଇର କାକଳି ଶୁଭୁନି ଆଉ
ବାସ୍ନା ମହକୁନି ଆଉ ପବନରେ ।
ସବୁ ଯେମିତି ଗୁମସୁମ୍ ଆଜି
ଏଠି ମାଳି କିଏ ଅଛି ଯେ
ଲଗାଇବ ଯତନେ ଫୁଲଗଛ
ଉଡିବୁଲିବେ ପ୍ରଜାପତି ଭ୍ରମର ।
ସବୁଆଡେ ଆଜି ମରୁଭୂମି
ଧୂ ଧୂ ଉତ୍ତପ୍ତ ବାଲିଚର
ଖାଁ ଖାଁ ଅବିଶ୍ଵାସର କୁହୁଡି
ପବନ ବି ଗୁମ ମାରିଦିଏ
ଗଢିଉଠେ ପ୍ରତାରଣାର ବାଲିଘର ।
ଭାଙ୍ଗିଯାଏ ଆଶାର ତାଜମହଲ
ଅତୀତ ଆଉ ଫେରେନି
ନୀଳ ଆକାଶଭରା ଭଷା ବାଦଲଟି ପରି
ଗୁଞ୍ଜରିତ ହେଉଥିବା କାକଳିର ଶବ୍ଦ
ଫଗୁ ଭିଜା କୋକିଳର କୂହୁତାନ ।
ଏଫୁଲରୁ ସେ ଫୁଲକୁ ଉଡି ଉଡି
ମଧୁ ଶୋଷିବାର ମହାଆନନ୍ଦ
ଝୁଲି ଝୁଲି ପବନର ଝୁଲଣାରେ
ହସୁଥିବା ଟିକି ପରଜାପତିଟି
ମନ ମାରି ବସିଛି ଆଜି କାହିଁ ବସିଛି ।