କାହାକୁ କହିବା
କାହାକୁ କହିବା
କାହାକୁ କହିବା କିଏ ସେ ଶୁଣିବ
ଆମ ଗାଁ ଗଣ୍ଡା କଥା
ତେଲିଆ ମୁଣ୍ଡରେ ତେଲ ତ ଲାଗୁଛି
ଗରିବଙ୍କ ହୁଏ ମୁଣ୍ଡ ବ୍ୟଥା ।
ବାପ କଥା ଏବେ ପୁଅ ତ ଶୁଣୁନି
ରାଇଜ ମୁଖିଆ ଦେଶର ମୁଖିଆଙ୍କ
କିଏ କାହିଁକି ବା ଶୁଣିବ ତାଙ୍କ କଥା
ସବୁଠି ଅନ୍ୟାୟ ସବୁଠି ଅଧର୍ମ
ନ୍ୟାୟ ନୀତି ଆଦର୍ଶ ଯେ ହୋଇଛି
ଏବେ ଭାଇ ଆମ ଶସ୍ତା ।
ପିଲାଠୁ ବୁଢା ସଭିଏଁ ଖଜିଲେ ସ୍ଵାର୍ଥ
ସଭିଙ୍କ ମନରେ ଲୁଟି ଖାଇବାର ଚିନ୍ତା
ଭୋଟ୍ ପାଇଁ ନୋଟ୍ ପାଇଁ ବ୍ୟଗ୍ର ଆମ
ବୁଦ୍ଧିଜୀବି ଆମ ଦେଶ ମଙ୍ଗୁଆଳ
ଆମ ରାଇଜର ନେତା
କାହାକୁ କହିବା କିଏ ବା ଶୁଣିବ
ଆମ ଏ ହିତ ଅହିତର କଥା ।
ସବୁଠି ଖାଲି ଚାଲଇ ଯାତ୍ରା
ମିଛ ପ୍ରତିଶ୍ରୁତି ମିଛ ଭାଷଣରେ
ପୋତି ପକାନ୍ତି ଆମ ନେତା
ଗଧଙ୍କ ଭଳି ଗଧିଆ ସାଜି
ଦିନ ମାସ ବର୍ଷ ଧରି
ନିଜ ଭାଗ୍ୟକୁ ଆଦରି ରୁହନ୍ତି
ଆମ ଭକୁଆ ଜନତା ।
ପ୍ରଗତି ନାମେ ଦୁର୍ଗତି ଦେଖନ୍ତି
ଗରିବୀ, ବେକାରୀ, ଭିକାରୀ ହୋଇ
ରହି ଯାଉଛନ୍ତି ଆମ ନିରୀହ ଜନତା
ଶିଳାନ୍ୟାସ, ଭୂମି ପୂଜାରେ କେବଳ
ନେତା କାଟନ୍ତି ନାଲି ଫିତା ପରେ ନାଲି ଫିତା
ଜନତା ଆମର ଶସ୍ତା ବର୍ଷ ପରେ ବର୍ଷ
ଯାଏନି ତାଙ୍କ ହୀନି ଅବସ୍ଥା
କାହାକୁ କହିବା ଏ କଥା ।
ଶିକ୍ଷା ସ୍ଵାସ୍ଥ୍ୟ ନାମେ ବେପାର ଚାଲଇ
ନାରୀ ନିର୍ଯ୍ୟାତନା ଦିନୁଁ ଦିନ ଯେ ବଢଇ
କିଏ ଦେଖନ୍ତିନି ମହିଳା ସୁରକ୍ଷା କଥା
ଖାଲି ଭାଷଣରେ ନାରୀ ସଶକ୍ତିକରଣ
ଖାଲି ପ୍ରବଚନେ ବାବା ମାତାଙ୍କ
ନୀତି ନୈତିକତାର ଦର୍ଶନ ନିଦର୍ଶନ
ହେଲେ କାର୍ଯ୍ୟ ରେ କରନ୍ତି
ଠିକ୍ ଓଲଟା ପ୍ରଦର୍ଶନ ।
ମାନବ ସମାଜ କଲ୍ୟାଣ ପାଇଁ
ଯେତେ ସବୁ ହିତକର ଗାଥା
ସ୍ଵାର୍ଥାନ୍ଧ ମଣିଷ ନିଜ ସ୍ଵାର୍ଥ ପାଇଁ
ମଣିଷ ଜାତିର ଆଣୁଛି ଯେ ମୁଣ୍ଡ ବ୍ୟଥା
ଶାନ୍ତି ମୈତ୍ରୀ ଏକତା ଖୋଜୁଛି ମଣିଷ ଆଜି
ପ୍ରତି ମୁହୂର୍ତ୍ତେ ଦେଖଇ କା ପାଇଁ ଆଜି
କା ପାଶେ ନାହିଁ ସ୍ନେହ, ପ୍ରେମ ଓ ମମତା
କାହାକୁ କହିବ କିଏ ବା ଶୁଣିବ
ଆଜିର ମଣିଷ ମନ ଓ ହୃଦୟର
ବେଦନା ଓ ବ୍ୟଥା ।
ବୃଦ୍ଧାଶ୍ରମେ ଯାଇ ରୁହନ୍ତି
ଏବେକାର ବୃଦ୍ଧ ପିତା ମାତା
ଶଶୂର ଶାଶୁଙ୍କ ପାଶେ ପୁଅ ସାଜିଥାଏ
ନୀତି ଆଦର୍ଶ ସେବାର ପ୍ରତୀକ
ସଦୃଶ ଏକ ସୁଶୃଙ୍ଖଳିତ ଜାମାତା
ସ୍ତ୍ରୀ ବୋଲକରା ସାଜୁଛି ସ୍ଵାମୀଟି
ଭାବୁନି ସ୍ଵ ଜନ୍ମିତ ପିତା ମାତାଙ୍କ
ମନ ହୃଦୟର କଥା
ଧନ୍ୟ ଧନ୍ୟ ରେ ବିଧାତା
ଆସିଲା କି ଆଧୁନିକତା
କି ହେଲା ଆମ ଶିକ୍ଷା, ସଂସ୍କୃତି
କି ହେଲା ଆମ ସଭ୍ୟତା
କାହାକୁ କହିବା କିଏ ବା ଶୁଣିବ
ଆମ ଘର ପରିବାର,
ଆମ ଗାଁ ଗଣ୍ଡା କଥା ?
