କାବ୍ୟ ନାୟିକା
କାବ୍ୟ ନାୟିକା
ନିତି ଲେଖେ କାବ୍ୟ ତୋ ପାଇଁ ସୁନ୍ଦରୀ
ଦେଖି ତୋ ଲାବଣ୍ୟ ରୂପ
ପ୍ରୀତି କଲମରେ ସେନେହ କାଳିରେ
କରୁଛି ତୋ ପାଇଁ ତପ ।
ଫରୁଆ ଭିତର ସପନ ନାୟିକା
ଦିଶୁ ଥାଉ ଝଲମଲ
ତୋ ପାଇଁ ପାଇଛି ଫଗୁଣ ମାସରେ
ଲକ୍ଷେ ଗୁଲାଲର ଗେଲ ।
ସହସ୍ର ଚମ୍ବନ ଆଙ୍କି ଦେଉ ତୁହି
ଉଷୁମ ବକ୍ଷରେ ମୋର
ସେ ମିଠା ଘାତକୁ ଦୁଇ ଗୁଣା କରେ
ଚୋରା ଚାହାଣିର ତୀର ।
ନୀଳ କାନି ତୋର ଉଡ଼ି ଫରଫର
ଭାସେ ବାଦଲର ପରି
କନକ ପୁତୁଳା ତନୁ ତୋର ଦେଖି
ଚମ୍ପା ଫୁଲ ଯାଏ ମରି ।
ଗଜ ଗମନା ଗୋ ଚାଲିରେ ଫୁଟୁଛି
ଲକ୍ଷେ ପାରିଜାତ କଢି
ଘନ କବରୀରେ ବିଭାବରୀ ଆସି
ପ୍ରାଣରେ ରହିଛି ଜଡି ।
ଗୋଲାପି ଓଠରୁ ଝରି ପଡୁଛି ଗୋ
ଅମୃତ ବର୍ଷାର ଧାରା
ସେ ଅମୃତ ପାନେ ମନ ମୋ ଅସ୍ଥିର
ଖୋଜୁଛି ନୟନ ତାରା ।
ପଦ୍ମ କଢି ପରି ଉରଜ ସୌନ୍ଦର୍ଯ୍ୟ
ତୁଛ ଲାଗେ ହିମଗିରି
ଚିବୁକ ଚିପୁଡି ଯେତେ ସାଉଁଟିଲେ
ସରେ ନାହିଁ ତୋର ଶିରୀ ।
ଲେଖନୀ ମୁନରୁ ସୃଷ୍ଟି ତୋର ରୂପ
କୋଟି କୋଣାର୍କକୁ ଜିଣି
ସପନ ସୁନ୍ଦରୀ କାବ୍ୟ ନାୟିକା ଲୋ
ହୃଦୟ ନେଲୁ ତୁ କିଣି ।
ଚିର କାଳ ପାଇଁ ମୁଁ ଦାସ କିଙ୍କର
ତୋ ପ୍ରୀତି ପରଶ ପାଇଁ
ମୁଁ ଶ୍ୟାମସୁନ୍ଦର ତୋର ପ୍ରେମ ଚୋର
ତୁହି ମୋ ନାୟିକା ରାଈ ।

