କ'ଣ ସ୍ତ୍ରୀ ବଦଳେଇବେ କି?
କ'ଣ ସ୍ତ୍ରୀ ବଦଳେଇବେ କି?
ହୁକୁମ ବାବାଙ୍କ ପାଖେ ଯାଇ ଦିନେ
କରିଲି ମୁଁ ନମସ୍କାର
ବାବା ପଚାରିଲେ କେଉଁ ଦୁଃଖେ ବତ୍ସ
ଆସିଛ କୁହ ଏଥର?
ତୁମ ସ୍ତ୍ରୀ କ'ଣ ତୁମଠାରେ ନିତି
କରୁଛି କି ଅତ୍ୟାଚାର
ନା ବାସନ ମଜେଇ ଦୁଆର ସଫେଇ
ବନେଇଛି ଝାଡୁଦାର?
ଗୋଡ଼ ମୋଡଇ କି ହୁକୁମ ଦେଉଛି
ମାର୍କେଟ ପଠାଉଅଛି
ଟଙ୍କା ସର୍ବସ୍ଵରେ ପାଳି ତୁମକୁ କି
ଏଟିଏମ୍ ବନେଇଛି?
ତୁମ ଠାରୁ କ'ଣ ଟଙ୍କା ନେଲାବେଳେ
ମିଠା କଥା କହୁଅଛି
ନା ଅନ୍ୟବେଳେ ପୁଣି ଅସହ୍ୟ ଭାଷାକୁ
ପ୍ରୟୋଗ ବି କରୁଅଛି?
ବଡିଗାର୍ଡ କରି ତୁମକୁ ସେ କ'ଣ
ନିଜ ଅଧିନେ ରଖିଛି
କୁକୁର ସମାନ ବ୍ୟବହାର ତୁମ
ବାପା ମାଆଙ୍କୁ କରୁଛି?
ନିଜ ବାପାମାଆ କଥା ଉଠାଇଲେ
ତୁମ ରକ୍ତ କି ପିଉଛି
ତୁମେ ହ୍ୟାଣ୍ଡସମ୍ ଥାଇ ବି ତୁମକୁ
ବୁଢ଼ା ମାଙ୍କଡ କହୁଛି?
ସାହୁ ବାବୁଙ୍କୁ ସେ ତୁମ ସମ୍ମୁଖରେ
ପ୍ରଶଂସା କି କରୁଅଛି
ନା ଆଉ କ'ଣ କୁହ କି ଅତ୍ୟାଚାର
ତୁମ ସ୍ତ୍ରୀ କରୁଅଛି?
ଯଦି କିଛି ଆଉ ଅଭିଯୋଗ ଅଛି
କୁହ କରିବା ବିଚାର
ସଲ୍ୟୁସନ ନିଶ୍ଚେ ବାହାର କରିବା
କରିବା ବି ପ୍ରତିକାର।
ହଁ ଆଜ୍ଞା ସେହି ଚାଳିଶି ବୟସେ
ଉଗ୍ର ଷ୍ଟାଇଲ ମାରୁଛି
ଡଜନେ ଧରମ ଭାଇଙ୍କୁ ସେ ଧରି
ଘରେ ଭିଡ଼ ଜମଉଛି।
ଡେଲି ମୋର ଘରେ ମେଲଣ ଲାଗୁଛି
ଗିଫ୍ଟ ଖାଲି ପାଉଅଛି
ହୋଟେଲ କ୍ଲବ୍ ଆଟେନ କରୁଛି
ରାତି ଅର୍ଦ୍ଧେ ଫେରୁଅଛି।
ରଜ କୁଇନି କି ଗୃହଲକ୍ଷ୍ମୀ ସୋ କୁ
ବାରମ୍ବାର ଯାଉଅଛି
ବବ୍କଟ୍ ଚୁଟି ବୋଳି ଲିପି ଷ୍ଟିକ୍
ଚାଖଣ୍ଡେ ଡ୍ରେସ୍ ପିନ୍ଧୁଛି।
ଡ୍ରେସ୍ ଫୁଟି ତାର ଦେହ ଦିଶୁଥିଲେ
ମୋ ମୁଣ୍ଡ ବିଗିଡି ଯାଏ
କହି ବି ହୁଏ ନି ସହି ବି ହୁଏନି
ହୃଦୟ ମୋ ଜଳୁଥାଏ।
ଗେରସ୍ତ ପଦବୀ ତୁଚ୍ଛାଟାରେ ଯାହା
ଏ ଅଧମ ପାଇ ଅଛି
ପୋଖରୀ ଗୋଳେଇ ମୁଁ ବେଦମ ଆଜ୍ଞା
ମାଛ ଅନ୍ୟ କେ ଖାଉଛି ।
ନିତି ଠିଆପାଲା ଘରେ ଚାଲୁଅଛି
ଯାଉଛି ଇଜ୍ଜତ ମୋର
ଯଦିବା ଟିକିଏ ମୁହଁ ମୁଁ ଖୋଲୁଛି
ଖାଉଛି ଝାଡ଼ୁ ପାହାର।
କେଉଁ ଜନମର ପାରବ୍ଧ ଭୋଗୁଛି
ଆଜି ଜାଣିପାରେ ନାହିଁ
ତା' ହାତର ପୋଷା ମାଙ୍କଡଟି ହୋଇ
ନାଚୁଅଛି ଆଜି ମୁହିଁ।
ମୋ ଦେହଟା ତାକୁ ଝାଳୁଆ ଗନ୍ଧାଏ
ତା'ଭାଷାରେ ମୁହିଁ ମେଣ୍ଢା
ପରାଧୀନ ଜୀବ ତା' ପାଖରେ ମୁହିଁ
ନିତି ମୋଡେ ମୋର ସେଣ୍ଢା।
ତେଣୁ ହେ ମହାତ୍ମା ଦୟାକରି ବାରେ
କରନ୍ତୁ ହେ ପ୍ରତିକାର
ଚେର ମୂଳୁକା କି ଡେଉଁରିଆ ଦିଅ
ଗୋଡଉ ପଛେ ମୋହର।
ବାବା କହୁଛନ୍ତି ହଉ ଠିକ୍ ଅଛି
ଏହି କାମ ତୁମେ କର
ଆଗକୁ ଆସୁଛି ସାବିତ୍ରୀ ଅମାସ୍ୟା
ରାତ୍ରୀର ଅର୍ଦ୍ଧ ପ୍ରହର।
ଲଙ୍ଗଳା ହୋଇବ ମଶାଣୀକୁ ଯିବ
ଆଣିବ ଶବରୁ ହାଡ଼
ତା'ପରେ ଆସି ମୋତେ ଦେଖାକର
କରିବା ଯେ ପ୍ରତିକାର।
କ'ଣ କହିଲେ ମୁଁ ଆଉ ମଶାଣୀ
ଅମାବାସ୍ୟା ଅର୍ଦ୍ଧରାତ୍ରୀ
ନାହିଁ ଆଜ୍ଞା ୟାକୁ ବଦଳାଇ ଅନ୍ୟ
ପ୍ରତିକାର କର କିଛି।
ଠିକ୍ ଅଛି ବତ୍ସ ନ ପାରିବ ଯଦି
ଶୀଘ୍ର ପାଖୁଁ ଉଠ ମୋର
ଭଡ଼ାରେ ମିଳୁଛି ସ୍ତ୍ରୀ ମୋ ପାଖରେ
ସେଥିରୁ ଗୋଟିଏ ଧର।
ନଚେତ୍ ନିଜର ସ୍ତ୍ରୀ ବଦଳେଇ
ଅନ୍ୟଠିଁ ଦିଅ ନଜର
ସ୍ତ୍ରୀ ର ମର୍ଯ୍ୟାଦା ତାକୁ ତୁମେ ଦେଇ
ତୋଳ ହେ ନୂଆ ସଂସାର।
ନଚେତ୍ ଏ ଶେଷ ପରାମର୍ଶ ମୋର
ଛାଡ଼ିଦିଅ ଘରଦ୍ୱାର
ଦଶ ହଜାର ମୋ ଟଙ୍କା ଫିସ୍ ଦେଇ
ବାଛ ପଥ ସନ୍ନ୍ୟାସୀର।
ମାଳା କୌପିନ ଧାରଣ କର
ଏବେ ଉଠ ପାଖରୁ ମୋହର
ପେମେଣ୍ଟ ଦିଅ ମୋହର
ସମୟ ନଷ୍ଟ ନ କର।
ହରି ଓଁ ହରି ଓଁ ହରି ଓଁ।
