STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ନିର୍ବାଚନୀ ଛୁଙ୍କ

ନିର୍ବାଚନୀ ଛୁଙ୍କ

1 min
114


ଘରେ ଘରେ ଆଜି ପ୍ରତିଶ୍ରୁତି ମାନେ

  ଚ‌ଉତାରା ମାରିଲେଣି,

ଘୋଡାହାତୀ ଦେବେ କହି କହି

  ଖୁବ୍ ଭୂଆଁବୁଲେଇ ଦେଲେଣି।


ବାକି ରହିଗଲା ଦେଖିବା ପାଇଁ କି

   ଇସ୍ତାହାର ଶିରୋନାମା,

କେତେ ପ୍ରତିଶତ କାର୍ଯ୍ୟକାରୀ ହେବ

   ସମୟକୁ ମାତ୍ର ଜଣା ।


ଖେପାଜାଲ ମାନେ ପ୍ରସ୍ତୁତ ହେଲେଣି

   ମାଛଗୁଡାକୁ ଧରିବେ,

ଖାଲି ଖାଳେଇକୁ ଭରିଦେଇ କାହା

    ପେଟ ଭୋକ ମାରିଦେବେ।


ପନିକି କଟୁରୀ ବୁଲୁଛନ୍ତି ନିଜ

    ଦେହକୁ ଧାରୁଆ କରି,

ବୋକା ମୀନଗୁଡା ଦାନା ଖାଇବାକୁ

    ଆସନ୍ତି ପାଖକୁ ମାଡ଼ି।


ଜାଲଟିକୁ ଧରି ଅଣ୍ଟାକୁ ସଳଖି

    ଧୀବର ହେଲାଣି ରେଡି,

ଯେତେଚେଷ୍ଟାକଲେ ତା'ପଞ୍ଝାରୁ ମୀନ 

   ପାରିବେ କିବା ବାହାରି ?


ଦାନାଖାଅ ଧରାଦିଅ ପ୍ରାଣଦିଅ

   ନିଜ ମନ ମୁତାବକ,

ଜାଣିପାରୁନାହଁ କେତେ ମୂଲ୍ୟହୀନ 

    ଏହି ଯେ କ୍ଷଣିକ ସୁଖ।


ମଦ କୁକୁଡ଼ା ଓ ଟଙ୍କା ପାଞ୍ଚଶରେ

   ନିଜକୁ ବିକ୍ରି ନ କର,

ପାଞ୍ଚଶହ ପଛେ ଲୁଚିଅଛି ସ୍ଵାର୍ଥ

   ରାଜସ୍ବ ପାଞ୍ଚ କୋଟିର।


ମାଛ ଚିହ୍ନବାଲା ମାଛ ବାଣ୍ଟିଲେଣି

    ଛତା ଚିହ୍ନବାଲା ଛତା,

ବସ୍ ଚିହ୍ନ ବାଲା କ‌ଅଣ ବାଣ୍ଟିବ

    ଘୂରିଗଲାଣି ତା' ମଥା।


ଘର ପିଛା କିଲେ ମଟନ ସାଙ୍ଗକୁ

    ଷୋରିଷ ତେଲ ଲିଟରେ,

ରାସନ କିଟ୍‌ସ ମିଳୁଛି କାହିଁକି 

    ଆଜି ପୁଣି ମାଗଣାରେ ? 


ଦେଖିଥିବ ଚାଷୀ କୁକୁଡ଼ା ମାନଙ୍କୁ

    ଦାନା ଔଷଧ ଦେଉଛି,

ଫ୍ଯାନ୍ ଆଲୋକ କାହିଁ ଯୋଗାଉଛି

    କିଫାଇଦା ତା'ର ଅଛି ?


ନିରୀହ କୁକୁଡ଼ା ଜାଣିପାରନ୍ତିନି

    ଆନନ୍ଦରେ ଦାନାଖାଇ,

ଦୁଇମାସ ରହି ଦୁନିଆଁ ହାଟରୁ

     ଯାଆନ୍ତି ବିଦାୟ ନେଇ।


ସେଇଭଳି ଠିକ୍ ପାଞ୍ଚ ବରଷର

‌‌ ନିର୍ବାଚନ ଇସ୍ତାହାର,

କ'ଣ କରିବ ହେ ପ୍ରିୟ ଭୋଟର

    ମନରେ ବିଚାର କର।


Rate this content
Log in

Similar oriya poem from Comedy